କାଦୁଅ ରାସ୍ତାରେ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଲୋଇସିଂହା,୨୩।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବକଟି ପଞ୍ଚାୟତ ଅନ୍ତର୍ଗତ ବଡଖଲିଆପଲି ଗାଁର ପିଲାମାନେ କାଦୁଅ ରାସ୍ତାରେ ସ୍କୁଲକୁ ଯାଉଛନ୍ତି। ସ୍କୁଲ ରାସ୍ତାର ଉନ୍ନତୀକରଣ ପାଇଁ ଗ୍ରାମବାସୀ ସ୍ଥାନୀୟ ପଞ୍ଚାୟତର ସରପଞ୍ଚଙ୍କଠାରୁ ବ୍ଲକ ପ୍ରଶାସନ ଯାଏ ଜଣାଇଥିଲେ ବି ନିରାଶ ହେବାକୁ ପଡିଛି ବୋଲି କହିଛନ୍ତି। ଏହାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି ।
୨ୱାର୍ଡ ବିଶିଷ୍ଟ ବଡଖଲିଆପାଲି ଗ୍ରାମରେ ରହିଛି ଏକ ପୁରାତନ ପ୍ରାଥମିକ ବିଦ୍ୟାଳୟ। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ହେଲେ ଗାଁଠାରୁ ବିଦ୍ୟାଳୟର ଦୂରତା ପ୍ରାୟ ଅଧ କିଲୋମିଟର। ମାଟି ମୋରମ ରାସ୍ତା ବର୍ଷାଦିନେ କର୍ଦ୍ଦମାକ୍ତ ହୋଇ ଯାଉଛି। ଲୋକେ ଯିବା ଆସିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାଦୁଅ ସରସର ହୋଇ ଛାତ୍ରୀଛାତ୍ରମାନେ ସ୍କୁଲ ଯାଉଛନ୍ତି। ଏପରିକି ଗତ ସ୍ବାଧୀନତା ଦିବସରେ ପିଲାମାନେ ସେହି ରାସ୍ତାରେ ଗ୍ରାମ ପରିକ୍ରମା କରିଥିଲେ ା ଦେଶ ସ୍ବାଧୀନତାର ଅମୃତ ମହୋସତ୍ବ ପାଳନ କରୁଥିବାବେଳେ ଉକ୍ତ ରାସ୍ତାର ଉନ୍ନତୀକରଣ ନ ହେବା ଦୁଃଖଦାୟକ ବୋଲି ଗ୍ରାମବାସୀ କହିଛନ୍ତି। ଜିଲାପାଳ ସ୍ବତନ୍ତ୍ରଭାବେ ଦୃଷ୍ଟି ଦେଇ ଉକ୍ତ ରାସ୍ତା ନିର୍ମାଣ କରିବାକୁ ସ୍କୁଲ ପରିଚାଳନା କମିଟି ସଭାପତି ବୈଠାରୁ ମହଲା, ୱାର୍ଡସଭ୍ୟା ବିଳାସିନୀ ସା, ସଭ୍ୟ କନ୍ଦର୍ପ ବିଶ୍ୱାଳ, କେଚା ବାରିକ, ପ୍ରଶାନ୍ତ ସା, ଅନନ୍ତ ବିଶ୍ୱାଳ, ଅଙ୍ଗନବାଡି ସହାୟିକା ରଏବାରୀ ନଇ ପ୍ରମୁଖ ଦାବି କରିଛନ୍ତି।