ଅନୁଗୋଳ ଅଫିସ,୫।୬: ଅନୁଗୋଳ ବ୍ଲକ ବାରସିଂହା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକମାତ୍ର ଗଣିତ ଶିକ୍ଷକଙ୍କ ବଦଳି ଘଟଣା ଧୀରେ ଧୀରେ ଅଧିକ ଜଟିଳ ରୂପ ନେଉଛି। ଶୁକ୍ରବାର ବଦଳି ବାତିଲ ଦାବିରେ ଗ୍ରାମବାସୀ ଓ ଛାତ୍ରୀଛାତ୍ର ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ଏପରି କି ଶିକ୍ଷକଙ୍କ ବଦଳି ବାତିଲ ନେଇ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଏହି ଘଟଣାରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବାରୁ ଗ୍ରାମବାସୀ ଶନିବାର ତାଙ୍କ ପିଲାଙ୍କୁ ବିଦ୍ୟାଳୟକୁ ଛାଡି ନାହାନ୍ତି। ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି। ଏଥିସହ ସେମାନଙ୍କ ଦାବି ପୂରଣ ନ ହେଲେ ବିଦ୍ୟାଳୟରେ ପଢୁଥିବା ସମସ୍ତ ୨୧୬ ଜଣ ଛାତ୍ରୀଛାତ୍ରଙ୍କ ଟିସି ନେବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଆଜିଠାରୁ ସ୍କୁଲରେ ଗ୍ରୀଷ୍ମ ଛୁଟି ଆରମ୍ଭ ହୋଇଯାଇଥିବାରୁ ଏହି ସମସ୍ୟା କେବେ ସମାଧାନ ହେବ ତାହା ପ୍ରଶାସନର ପଦକ୍ଷେପ ଉପରେ ନିର୍ଭର କରୁଛି।