Categories: ଅନୁଗୋଳ

ଖୋଲା ଆକାଶତଳେ ମୂକ, ବଧିର ଓ ଦୃଷ୍ଟିହୀନ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ,୨।୬: ଅନୁଗୋଳରେ କାଳବୈଶାଖୀ ବୁଧବାର କ୍ଷୟକ୍ଷତି ଘଟାଇଛି। ସହର ଉପକଣ୍ଠ ଶୁଶୁଡା ପଞ୍ଚାୟତର ଗୋପୀନାଥପୁର ଗ୍ରାମରେ ଥିବା କେଦାରଗୌରୀ ଦୃଷ୍ଟିହୀନ ଓ ମୂକ ବଧିର ତାଲିମ କେନ୍ଦ୍ରର ଛପର ଉଡ଼ିଯିବାରୁ ଛାତ୍ରୀଛାତ୍ରମାନେ ଖୋଲା ଆକାଶ ତଳେ ରହିଥିବା ଦେଖାଯାଇଛି। ଖବରପାଇ ତହସିଲଦାର ବିମଳ ଲେଙ୍କା ପହଞ୍ଚି ଘର ଉପରେ ପକାଇବାକୁ ପାଲ ବ୍ୟବସ୍ଥା କରିଥିବା ଜଣାପଡିଛି। କିନ୍ତୁ ଖାଦ୍ୟପେୟ ନଷ୍ଟ ହୋଇଥିଲେ ମଧ୍ୟ ସେନେଇ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଅନ୍ତେବାସୀମାନେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ଏହି କେନ୍ଦ୍ରରେ ୨୫ ଛାତ୍ରୀଛାତ୍ର ରହୁଛନ୍ତି। କାଳବୈଶାଖୀ ପ୍ରଭାବରେ ଘରେ ଥିବା କିଛି ଆସବବାବପତ୍ର, ଖାଦ୍ୟ ସାମଗ୍ରୀ, ଭଜନସନ୍ଧ୍ୟ ଉପକରଣ ନଷ୍ଟ ହୋଇଛି। ଏହାକୁ ପରିଚାଳନା କରୁଥିବା ବ୍ୟକ୍ତିଙ୍କ ଉପରେ ଇଟା ପଡିବାରୁ ତାଙ୍କ ଡାହଣ ଗୋଡ ଭାଙ୍ଗିଯାଇଛି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଉପଜିଲାପାଳ ବାଇତୁରା ଦୀପ କହିଛନ୍ତି, ଅନ୍ତେବାସୀଙ୍କ ପାଇଁ ବ୍ୟବସ୍ଥା କରାଯିବ। ପାଲ ପ୍ରଦାନ କରାଯାଇଛି। ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯିବ।