ଅସୁସ୍ଥ ଛାତ୍ରୀଙ୍କୁ ସହାୟତା କଲେ ଛାତ୍ରୀଛାତ୍ର, ଦାୟିତ୍ୱବୋଧକୁ ସାଧାରଣରେ ପ୍ରଶଂସା

ପଟ୍ଟାଙ୍ଗି,୨୮ା୯(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୀମାନ୍ତ ତଳଗୋଲୁର ପଞ୍ଚାୟତର ଦିଗଗୋଲୁର ୟୁଜିଏଚ୍‌ଏସ୍‌ ବିଦ୍ୟାଳୟରେ ଜଣେ ଅସୁସ୍ଥ ଛାତ୍ରୀଙ୍କୁ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ତାଙ୍କୁ ସୁସ୍ଥ କରିଛନ୍ତି। ଜଣେ ସହପାଠିନୀଙ୍କ ପ୍ରତି ଛାତ୍ରୀଛାତ୍ରଙ୍କ ଏପରି ଦାୟିତ୍ୱବୋଧ ସାଧାରଣରେ ପ୍ରଶଂସା କରାଯାଇଛି।

ଖବରରୁଜଣାପଡିଛି, ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ମାନେ ପାଠପଢୁଛନ୍ତି। ବିଦ୍ୟାଳୟରେ ଅନ୍ତେବାସୀ ରୂପେ ରହିବା ପାଇଁ ସୁବିଧା ରହିଛି ବୁଧବାର ଜଣେ ନବମ ଶ୍ରେଣୀର ଛାତ୍ରୀ ହଠାତ ଶ୍ରେଣୀ ଗୃହରେ ଅଚେତ ହୋଇ ପଡିଥିଲେ। ସେହି ସମୟରେ ଶ୍ରେଣୀଗୃହରେ କୌଣସି ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ନ ଥିଲେ। ସହପାଠିନୀମାନେ ତୁରନ୍ତ ଅଚେତ ଛାତ୍ରୀଙ୍କୁ ଉଠାଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ଏହି ଖବର ପାଇବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକ ସଦର ମହକୁମାରୁ ୪୫ କି.ମି. ଦୂରରେ ଥିବା ଏହି ବିଦ୍ୟାଳୟ ପ୍ରତି ବ୍ଲକ ଶିକ୍ଷା ଅଧିକାରୀ ଅଣଦେଖା କରୁଥିବା ଏବଂ ଅଧିକାଂଶ ସମୟରେ ବିଦ୍ୟାଳୟରେ ପାଠପଢା ଠିକ୍‌ ରୂପେ ହେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ୬ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିୟମିତ ବିଦ୍ୟାଳୟ ଆସୁ ନ ଥିବା ଯେଉଁ ଦିନ ଆସୁଛନ୍ତି ଛାତ୍ରୀଛାତ୍ରଙ୍କ ଉପସ୍ଥାନ ତଦାରଖ କରି ଚାଲି ଯାଉଥିବା ଅଭିଭାବକମାନେ ମଧ୍ୟ ଅଭିଯୋଗ ଉଠାଇଛନ୍ତି। ଏହାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ସିଆରସିସିଙ୍କ ଦୃଷ୍ଟି ଆକର୍ଷଣ କରା ଯାଉଥିଲେ ମଧ୍ୟ ଏଥିପ୍ରତି କେହି ତତ୍ପରତା ପ୍ରକାଶ କରୁନାହାନ୍ତି ବୋଲି ସେମାନେ କହିଛନ୍ତି। ସିଆରସିସି ପ୍ରଦିପ୍ତ ଦତ୍ତଙ୍କୁ ଏ ସମ୍ପର୍କରେ ପଚାରିବାରୁ ଗ୍ରାମବାସୀ ଉଠାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ବିଦ୍ୟାଳୟକୁ ଶିକ୍ଷକ ମାନେ ନିୟମିତ ଯାଉଥିବା ବେଳେ ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଜଣେ ଅତିରିକ୍ତ ଶିକ୍ଷକ ଏବେ ଏକ ତାଲିମ କାର୍ଯ୍ୟକ୍ରମରେ ଯାଇଛନ୍ତି। ଅନ୍ୟ ୪ ଜଣ ଶିକ୍ଷକ ବିଦ୍ୟାଳୟରେ ଉପସ୍ଥିତ ରହୁଥିବା କହିଛନ୍ତି। ତେବେ ସେ ଅସୁସ୍ଥ ଛାତ୍ରୀଙ୍କ ସମ୍ପର୍କରେ କୌଣସି ମତାମତ ଦେବାକୁ ମନା କରି ଦେଇଥିଲେ। ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ରଜନୀକାନ୍ତ ବଡ ନାୟକଙ୍କୁ ପଚାରିବାରୁ ସେ କହିଲେ, ଉକ୍ତ ବିଦ୍ୟାଳୟର ଛାତ୍ରୀଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇଛି। ମୁଁ ନିଜେ ବିଦ୍ୟାଳୟରେ ପହଞ୍ଚତ୍ କିପରି ସମ୍ପୃକ୍ତା ଛାତ୍ରୀଙ୍କ ଚିକିତ୍ସା କରା ଯିବ ସେନେଇ ପଦକ୍ଷେପ ଗ୍ରହଣ କରିଛି ବୋଲି କହିଥିଲେ। ସୂଚନାଯୋଗ୍ୟ, ଏହି ବିଦ୍ୟାଳୟରେ ୩୩୭ ଛାତ୍ରୀଛାତ୍ର ପାଠ ପଢୁଥିବା ବେଳେ ସେଥିରୁ ୮୫ ଜଣ ଅନ୍ତେବାସୀ ରୂପେ ରହି ଶିକ୍ଷା ଗ୍ରହଣ କରୁଛନ୍ତି।