ତେଲୁଗୁ ବଦଳରେ ଓଡ଼ିଆ ପଢିବେ ଛାତ୍ରୀଛାତ୍ର

ଚିତ୍ରକୋଣ୍ଡା,୨୮ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମକୁ ପୂର୍ବରୁ ବିଇଓ ଗାୟତ୍ରୀ ଦେବୀ ଗସ୍ତକରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମର ପିଲାଙ୍କୁ ଶିକ୍ଷାଦାନ ନେଇ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ଶନିବାର ବିଇଓ ଗାଁରେ ପହଞ୍ଚତ୍ ଗ୍ରାମର ୬ ଝିଅ ଓ ୮ ପୁଅ ଏପରି ୧୪ ଜଣଙ୍କୁ ନେଇ ବଡପଡା ଆବାସିକ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ସେମାନଙ୍କୁ ବହି, ଖାତା,ପୋଷାକ, ଜୋତା ଦିଆଯାଇଛି। ଛାତ୍ରୀଛାତମାନେ ଆଉ ତେଲୁଗୁ ବିଦ୍ୟାଳୟକୁ ଯିବେ ନାହିଁ। ତେଲୁଗୁ ବଦଳରେ ଓଡ଼ିଆ ପଢିବେ ବୋଲି ବିଇଓ କହିଛନ୍ତି।
ମାଲକାନଗିରି-ଆନ୍ଧ୍ର ସୀମାନ୍ତ ଜୁମଡାଙ୍ଗ ଗ୍ରାମ ଉପରେ ଆନ୍ଧ୍ର ନଜର ପକାଇ ଜୁମଡାଙ୍ଗ ଗ୍ରାମବାସୀଙ୍କୁ ପ୍ରଲୋଭିତ କରିଚାଲିଛି। ଗ୍ରାମରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରୁଛି। ନିକଟରେ ଆନ୍ଧ୍ରରେ ହେଉଥିବା ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ସୀମାନ୍ତ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଇଥିଲା। ମାତ୍ର ଏନେଇ ଖବର ପାଇ ବିଇଓଙ୍କ ସମେତ ଜିଲା ପ୍ରଶାସନର ଅଧିକାରୀମାନେ ଜୁମଡାଙ୍ଗରେ ପହଞ୍ଚତ୍ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ସେମାନେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରୁ ଦୂରେଇ ରହିବାକୁ ପ୍ରବର୍ତ୍ତାଇଥିଲେ। ଗ୍ରାମବାସୀ ଆଲୋଚନା ବେଳେ ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟା ଅଧିକାରୀମାନଙ୍କ ଦୃଷ୍ଟିକୁ ଆଣିବା ସହ ଗ୍ରାମରେ ବିଦ୍ୟାଳୟ ନ ଥିବାରୁ ଗ୍ରାମର ପିଲାମାନେ ତେଲୁଗୁ ବିଦ୍ୟାଳୟରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ। ଏହାକୁ ପ୍ରଶାସନ ଗୁରୁତର ସହ ନେଇ ଉପରୋକ୍ତ ପଦକ୍ଷେପ ନେଇଛି। ବିଇଓଙ୍କ ସହ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଞ୍ଜନ ଚୌଧୁରୀ, ସିଆର୍‌ସିସି ପୀତାମ୍ବର ଖରା,ପୂର୍ବତନ ସିଆର୍‌ସିସି ନିତାଇ ରାୟ,ଜୁମଡାଙ୍ଗ ଅଞ୍ଚଳର ନଗେଶ ଖିଲ,ସୀତାରାମ ହନ୍ତାଲ,ରାମ ହନ୍ତାଳଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

 

Share