ଛାତ୍ର ସଂସଦ ନିର୍ବାଚନ ନ ହେଲେ ରାସ୍ତାକୁ ଓହ୍ଲାଇବୁ: ଛାତ୍ର କଂଗ୍ରେସ

ଭୁବନେଶ୍ୱର, ୪।୯(ସୁନିତ୍‌ ମିଶ୍ର):ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ ନ ହେବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘୋଷଣା କରିବା ଦୁର୍ଭାଗ୍ୟଜନକ। ବିଜେଡି ରାସ୍ତାରେ ଭାଜପା ସରକାର ଯାଉଥିବା ଛାତ୍ର କଂଗ୍ରେସ ସଭାପତି ଉଦିତ୍‌ ପ୍ରଧାନ ଅଭିଯୋଗ କରିଛନ୍ତି। କଂଗ୍ରେସ ଭବନଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଉଦିତ୍‌ କହିଛନ୍ତି, ଏଭଳି ନିଷ୍ପତ୍ତିକୁ ଛାତ୍ର କଂଗ୍ରେସ ସହ୍ୟ କରିବ ନାହିଁ। ଛାତ୍ର ସଂସଦ ନିର୍ବାଚନ ନ ହେଲେ ଛାତ୍ର କଂଗ୍ରେସ ରାଜ୍ୟବ୍ୟାପୀ ରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି।
ଉଦିତ୍‌ ଆହୁରି କହିଛନ୍ତି, ୨୦୧୭ରେ ଶେଷଥର ନିର୍ବାଚନ ହୋଇଥିଲା। ୧୮ ଅଗଷ୍ଟ ୨୦୧୭ରେ ନିର୍ବାଚନ ସିଡ୍ୟୁଲ ଘୋଷଣା କରାଯାଇଥିଲା। ୨୦୨୪ ଅଗଷ୍ଟ ୧୯ରେ ନିର୍ବାଚନ ହେବ ନାହିଁ ବୋଲି ଆଇନ ମନ୍ତ୍ରୀ ଘୋଷଣାକଲେ। ମାତ୍ର ଗୋଟିଏ ଦିନ ପରେ କହିଲେ, ନୂଆ ସରକାର, ସମୟର ଓ ପ୍ରସ୍ତୁତିର ଅଭାବ ପାଇଁ ନିର୍ବାଚନ ହୋଇପାରିବ ନାହିଁ। ମୂଳ କଥାଟି ହେଉଛି ସରକାରୀ କଳକୁ ଲଗାଇ ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟକୁ କବ୍‌ଜା କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ସେଥିପାଇଁ ଆସନ୍ତା ବର୍ଷ ନିର୍ବାଚନ କରିବା ପାଇଁ କୁହାଯାଇଛି। ହୁଏତ ଆସନ୍ତା ବର୍ଷ ନିର୍ବାଚନ ନ ହୋଇପାରେ। ବିଭିନ୍ନ ଆଳରେ ୨୦୧୭ରୁ ୨୦୨୩ ପର୍ଯ୍ୟନ୍ତ ବିଜେଡି ସରକାର ରାଜ୍ୟରେ ନିର୍ବାଚନ ବନ୍ଦକଲେ। କ୍ୟାମ୍ପସ୍‌ରେ ହିଂସା ଆଳରେ ୨୦୧୯, ୨୦୨୨ ଓ ୨୦୨୩ରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଦିଆଗଲା। ୨୦୨୦ ଓ ୨୦୨୧ରେ କରୋନା ପାଇଁ ଏବଂ ୨୦୧୮ରେ ତିତିଲି ମହାବାତ୍ୟା ପାଇଁ ନିର୍ବାଚନ ବନ୍ଦ ହୋଇଥିଲା। ଏବିଭିପି ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ହାଇକୋର୍ଟରେ କେସ୍‌ କରିଥିଲା। ମାତ୍ର ଏବେ ଏହାର ଆଭିମୁଖ୍ୟ ବଦଳିଯାଇଛି। ରେଭେନ୍‌ଶା ନାମ ବଦଳାଯିବା ପ୍ରସଙ୍ଗରେ ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାମ ପରିବର୍ତ୍ତନ ଡ୍ରାମାରେ ନ ମାତି ବରଂ ରେଭେନ୍‌ଶାକୁ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଉଦ୍ୟମ କରନ୍ତୁ ବୋଲି ସେ କହିଛନ୍ତି।

Share