ଷ୍ଟୁଡିଓ ମାଲିକଙ୍କ ମୃତ୍ୟୁ ରହସ୍ୟ ଘେରରେ

ଢେଙ୍କାନାଳ ଅଫିସ,୨୮ା୨: ଢେଙ୍କାନାଳ ସହର ୭ନଂ. ୱାର୍ଡରେ ରହୁଥିବା ଫଟୋଲାଇନ ଷ୍ଟୁଡିଓ ମାଲିକ ତଥା ବିଶିଷ୍ଟ ଫଟୋଗ୍ରାଫର ସଚ୍ଚିଦାନନ୍ଦ ନାୟକ ଓରଫ୍‌ ବାବୁଲି(୫୦)ଙ୍କ ଝୁଲନ୍ତା ମୃତଦେହ ଶନିବାର ସନ୍ଧ୍ୟାରେ ସଦର ଥାନା ଗୋହିରାଖାଲ ଠାରେ ଜଣେ ସମ୍ପର୍କୀୟଙ୍କ ଫାର୍ମ ହାଉସ ପରିସରରେ ଥିବା ପରିତ୍ୟକ୍ତ ଘରୁ ପୋଲିସ ଜବତ କରିଥିଲା। ତେବେ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଘଟଣା ଉପରୁ ପରଦା ହଟିପାରି ନ ଥିବାରୁ ଏହାକୁ ନେଇ ରହସ୍ୟ ବଢିବାରେ ଲାଗିଛି। ଯେଉଁ ସୁଧ ପ୍ରଦାନକାରୀଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି, ସେମାନଙ୍କ ବିରୋଧରେ ପୋଲିସ ପ୍ରମାଣ ଖୋଜିବା ଆରମ୍ଭ କରିଛି। ଏପରି କି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୋସିଆଲ ମିଡିଆରେ ଦିଆଯାଉଥିବା ପ୍ରତିକ୍ରିୟା ସବୁ ଭାଇରାଲ ହେବାରେ ଲାଗିଛି। ଅଭିଯୁକ୍ତମାନେ ମଧ୍ୟ ଲୁଚାଛପାରେ ବିଭିନ୍ନ ଲୋକମାନଙ୍କୁ ଯୋଗାଯୋଗ କରି ସଫେଇ ଦେବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।
ପ୍ରକାଶ ଯେ, ସଚ୍ଚିଦାନନ୍ଦ ନିଜ ବ୍ୟବସାୟ ପାଇଁ କେତେଜଣ ବ୍ୟକ୍ତିଙ୍କ ଠାରୁ ଟଙ୍କା କରଜ କରିଥିଲେ ମଧ୍ୟ ଋଣ ପରିଶୋଧ ବାବଦକୁ ବହୁ ଅର୍ଥ ପ୍ରଦାନ କରିଛନ୍ତି। ଏସବୁ ସତ୍ତ୍ୱେ ଋଣ ପ୍ରଦାନକାରୀ ବ୍ୟକ୍ତିମାନଙ୍କ ଚାପ ଏବଂ ଅଧିକ ସୁଧ ମାଗିବା, ଧମକଚମକ ଦେବା ତାଙ୍କୁ ଆହୁରି ଭାରାକ୍ରାନ୍ତ କରିଥିଲା। ଫଳରେ ସେ ଅଧିକାଂଶ ସମୟରେ ଚିନ୍ତାଗ୍ରସ୍ତ ରହୁଥିଲେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ଏହି ଘଟଣାରେ ନଂ. ୧୫୫ା୨୩, ଦଫା-୩୦୬ ଓ ୩୪ରେ ଏକ ମାମଲା ରୁଜୁକରି ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ମାମଲାରେ ୩ଜଣ ବ୍ୟକ୍ତିଙ୍କ ନାମରେ ଅଭିଯୋଗ ରହିଛି। ଅନ୍ୟପଟରେ ସୁଧ କାରବାର କରୁଥିବା ବ୍ୟକ୍ତିମାନେ ନିୟମ କିମ୍ବା ବେନିୟମ ଭାବେ ଏହା କରୁଛନ୍ତି, ସେ ସମ୍ପର୍କରେ ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି ହେଉଛି। ଏ ନେଇ ସଦର ଥାନା ଅଧିକାରୀ ପ୍ରଦୀପ କୁମାର ପ୍ରଧାନ କହିଛନ୍ତି, ଅଭିଯୁକ୍ତମାନଙ୍କ ସମ୍ପର୍କରେ ପ୍ରମାଣ ଖୋଜାଯାଉଛି। କିଏ, କେତେବେଳେ ଓ କେତେଟଙ୍କା ଋଣ ଦେଇଛନ୍ତି ଏବଂ ସୁଧ ଆକାରରେ କେତେ ଟଙ୍କା ପାଇଛନ୍ତି, ତାହାର ପ୍ରମାଣ ଖୋଜିବା ସହିତ ତଦନ୍ତ ଜାରି ରହିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏସବୁ ମିଳିବା ପରେ କାର୍ଯ୍ୟାନୁ୍‌ଷ୍ଠାନ ହେବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।