ବିପଦସଙ୍କୁଳ ଶ୍ରେଣୀ କୋଠରିରେ ପାଠପଢ଼ା

ନୂଆପଡ଼ା,୧୯।୮(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଝଗ୍ରାହୀ ପଞ୍ଚାୟତ କୋଟ୍ରିବାହାଲ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିପଦସଙ୍କୁଳ ଶ୍ରେଣୀ କୋଠରିରେ ପାଠପଢ଼ା ଯାଉଛି। ଶ୍ରେଣୀ କୋଠରି ଛାତରୁ ସିମେଣ୍ଟ ଅତଡା ଖସୁଛି। ବିପଦସଙ୍କୁଳ ଶ୍ରେଣୀ କୋଠରିରେ ଛାତ୍ରୀଛାତ୍ର ପାଠ ପଢୁଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୨୯ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରେ ୬୫ ଛାତ୍ରୀ ଓ ୬୪ ଛାତ୍ର ରହିଛନ୍ତି। ୫ଜଣ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ୮ଟି ଶ୍ରେଣୀକୁ ୪ଟି କୋଠରି ରହିଛି। ୪ଟି କୋଠରି ମଧ୍ୟରୁ ୨ଟି କୋଠରିରେ ପାଣି ଗଳି ଛାତରୁ ଲୁହାରଡ ବାହାରି ସିମେଣ୍ଟ ଅତଡା ପଡୁଛି। କୋଠରି ଅଭାବରୁ ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଶ୍ରେଣୀ କୋଠରି ଭିତରେ ବସି ଅଧ୍ୟୟନ କରୁଛନ୍ତି। କୋଠରି ଅଭାବ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଗୋଟିଏ କୋଠରିରେ ୨ଟି ଶ୍ରେଣୀ ପିଲା ବସି ଅଧ୍ୟୟନ କରୁଛନ୍ତି। ଛାତରୁ ସିମେଣ୍ଟ ଅତଡା ଖସିପଡ଼ି କିଛି ଛାତ୍ରୀଛାତ୍ର ଆହତ ମଧ୍ୟ ହୋଇ ସାରିଲେଣି। ବିଦ୍ୟାଳୟରେ ନୂତନ ଭାବେ କୋଠରି ନିର୍ମିାଣ ଦିଆଯାଉ ନ ହେଲେ ମରାମତି କରାଯାଉ ବୋଲି ଗ୍ରାମବାସୀ ସ୍ଥାନୀୟ ଜନପ୍ରତିନିଧିଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଛନ୍ତି। କାହାରି ନଜର ବିଦ୍ୟାଳୟ ଉପରେ ପଡୁନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। କୋଟ୍ରିବାହାଲ-ଝଗ୍ରାହୀ ରାସ୍ତା କଡରେ ବିଦ୍ୟାଳୟ ରହିଛି। ବିଦ୍ୟାଳୟ ଦେଇ ପ୍ରଧାନମନ୍ତ୍ରୀ ରାସ୍ତା ଯାଇଛି। ରାସ୍ତା ନିର୍ମାଣ କରିବା ଦ୍ୱାରା ରାସ୍ତା ଉପର ହୋଇ ବିଦ୍ୟାଳୟ ତଳ ହୋଇ ଯାଇଥିବାରୁ ବର୍ଷା ହେଲେ ବିଦ୍ୟାଳୟ ଭିତରକୁ ପାଣି ପଶି ଯାଉଛି। ବିଦ୍ୟାଳୟ ତଳରେ ବୋହି ଯାଉଥିବା ପାଣି ରହୁଥିବା ବେଳେ ଛାତ ଉପରୁ ପାଣି ଗଳୁଛି। ଏ ସଂକ୍ରାନ୍ତରେ କୋମନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନିତା ପଣ୍ଡାଙ୍କୁ ପଚାରିବାରୁ ମୋ ପାଖରେ ଖବର ନ ଥିଲା। ଆପଣଙ୍କଠାରୁ ମୁଁ ଜାଣିଲିି, ନିଜେ ଯାଇ ତଦନ୍ତ କରି ବହୁତଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ। ଆଗାମୀ ନିର୍ବାଚନ ପୂର୍ବରୁ ଆବଶ୍ୟକ ଶ୍ରେଣୀ କୋଠରି ନିର୍ମାଣ କରା ନ ଗଲେ ଗ୍ରାମବାସୀ ଭୋଟ ବର୍ଜନ କରିବୁ ବୋଲି ୱାର୍ଡମେମ୍ବର ମାୟାବତି କୁମ୍ଭାର, ଦେବାର ଚିରାଙ୍ଗୁନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଞ୍ଜିତ କୁମ୍ଭାର, ଧବନୀ ଚିରାଙ୍ଗୁଲ, ସୁନମ କୁମ୍ଭାର, ଜଗମୋହନ କୁମ୍ଭାର, ନବ ବନଛୋର,ଦୃବଳ କୁମ୍ଭାର, ଦ୍ରୋଣ ମହାନନ୍ଦ, କେଶବ କୁମ୍ଭାର, ନାନୁ ଚିରାଙ୍ଗୁନ, ବଂଶିଧର ବନଛୋର, ଟିକମନ ଚିରାଙ୍ଗୁଲ, ପାତ୍ର କୁମ୍ଭାର, ରିଖିରାମ କେତକି, ଲକ୍ଷ୍ମଣ ଚିରାଙ୍ଗୁଲ ପ୍ରମୁଖ ଚେତାବନୀ ଦେଇଛନ୍ତି।