ଅଫିସ୍‌ରେ ହେଉଛି ପାଠପଢ଼ା

ପଡିଆ, ୩୧ା୭(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି ୫୯ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୀର୍ଘ ବର୍ଷ ଧରି ସ୍କୁଲର ବିଭିନ୍ନ ଭିତ୍ତିଭୂମିର ବିକାଶ ସହ ଶିକ୍ଷକ ଅଭାବ ଓ ଉପଯୁକ୍ତ ଶ୍ରେଣୀଗୃହ ନ ଥିବା ନେଇ ବାରମ୍ବାର ବ୍ଲକ ପ୍ରଶାସନର ଦ୍ବାରସ୍ଥ ହେଲେ ସୁଦ୍ଧା କେହି ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପିଲାମାନେ ଅଫିସରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି ା
ସୂଚନା ମୁତାବକ ଏମ୍‌ଭି ୫୯ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୧୯ ଜଣ ପିଲା ଥିବା ବେଳେ ଗତବର୍ଷ କାଳ ବୈଶାଖୀରେ ଏହି ବିଦ୍ୟାଳୟର ଛପର ଉଡିଯାଇଥିଲା। ଏହାପରଠାରୁ ୫ଟି ରୁମରେ ପାଠପଢା ହୋଇଥିବା ବେଳେ ଶ୍ରେଣୀ ଗୃହ ଅଭାବ ରହିଛି। ଯେଉଁ କେତେକ ଅଛି ସେଥିରୁ ପାଣି ଗଳୁଛି। ପାଠପଢାରେ ଅସୁବିଧା ହେଉଥିବାରୁ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟରେ ହିଁ ପିଲା ପଢୁଥିବା ଦେଖିବାକୁ ମିଳିଛି। ଏହି ସ୍କୁଲରେ ରୋଷେଇ ଘର ଛାତରୁ ପାଣି ଗଳିବା, ପାଇଖାନାରେ ଦୁଆର ବନ୍ଧ ଲଗାଯାଇ ନ ଥିବା, ପାଚେରି ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। କୌଣସି କାରଣରୁ ବିଦ୍ୟୁତ୍‌ କାଟ ହେଲେ ହ୍ୟାଣ୍ଡ ପମ୍ପ କାର୍ଯ୍ୟକ୍ଷମ ନ ଥିବାରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ୩ ଶହ ମିଟର ଦୂରରେ ଥିବା ଅଙ୍ଗନୱାଡି କେନ୍ଦ୍ର ନଳକୂପ ଉପରେ ନିର୍ଭର କରିବାକୁ ପଡୁଛି ।
ଏ ସମ୍ପର୍କରେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ସୁବ୍ରତ ବିଶ୍ୱାଳଙ୍କୁ ପଚାରିବାରୁ ଏହି ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ଥିବା ବେଳେ ଏହାର କାର୍ଯ୍ୟ ଆରମ୍ଭ ହୋଇଛି, କିନ୍ତୁ ତାହା ମନ୍ଥର ଗତିରେ ଚାଲିଥିଲା ବେଳେ ଗତ କିଛିଦିନ ଧରି ଏହା ବନ୍ଦ ରହିଛି। ଏଥିସହ ଏହି ବିଦ୍ୟାଳୟରେ ଆଠଟି ଶ୍ରେଣୀରେ ୪ ଜଣ ଶିକ୍ଷକ ରହିଛନ୍ତି। ଏ ଦିଗରେ ମଧ୍ୟ ଶିକ୍ଷା ବିଭାଗ ଦୃଷ୍ଟି ଦେଉନଥିବା ଜଣାପଡିଛି। ଏ ସମ୍ପର୍କରେ ପଡିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଲିଙ୍କୁ ଯୋଗାଯୋଗ କରାଯିବାରୁ ସେ ଏ ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି। ସେହିପରି ବିଦ୍ୟାଳୟର ଭିତ୍ତିଭୂମି ବିକାଶ ବାବଦରେ ସ୍ଥାନୀୟ ବିଡିଓ ରାମକୃଷ୍ଣ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ତୁରନ୍ତ ଅଧାପନ୍ତରିଆ ହୋଇ ପଡି ରହିଥିବା ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ଏମ୍‌ଭି ୫୯ ଗ୍ରାମ ସ୍କୁଲର ଭିତ୍ତିଭୂମି ବିକାଶ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ା