ମଣ୍ଟେଭିଡିଓ (ଉରୁଗୁଏ), ୧୮ା୧୧ (ଏପି)- କରୋନା ଭାଇରସ ପାଇଁ ହୋଇଥିବା ଟେଷ୍ଟରେ ଲୁଇସ୍ ସୁଆରେଜ୍ ଓ ଗୋଲକିପର ରୋଡ୍ରିଗୋ ମୁନୋଜ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉରୁଗୁଏ ଫୁଟ୍ବଲ ଆସୋସିଏଶନ ତରଫରୁ ଏବିଷୟ ସ୍ପଷ୍ଟ କରାଯାଇଛି। ଏହି ଦୁଇଜଣଙ୍କ ବ୍ୟତୀତ ଜାତୀୟ ଦଳର ଜଣେ ଷ୍ଟାଫ୍ ମାଟିଆସ ଫରାଲ୍ ମଧ୍ୟ ସଂକ୍ରମିତ ହୋଇଛନ୍ତି। ସମସ୍ତେ ବ୍ରାଜିଲ ସାଉଥ୍ ଆମେରିକାନ୍ ବିଶ୍ୱକପ୍ କ୍ୱାଲିଫାଇଂ ମ୍ୟାଚରୁ ବଞ୍ଚିତ ହୋଇଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ସୁଆରେଜ ଓ ମୁନୋଜଙ୍କ ବ୍ୟତୀତ ପୂର୍ବରୁ ଉରୁଗୁଏ ଦଳର ଅନଜଣେ ଗୋଲ୍କିପର ମାର୍ଟିନ ସିଲ୍ଭା, ଡିଫେଣ୍ଡର ସେବାଷ୍ଟିଆନ କୋଟ୍ସ ଓ ମାଟିଆସ ଭିନା, ମିଡ୍ଫିଲ୍ଡର ଫେଡ୍ରିକୋ ଭାଲ୍ଭର୍ଡେ ଏବଂ ଷ୍ଟ୍ରାଇକର ମାକ୍ସି ଗୋମେଜ ପ୍ରମୁଖ କରୋନା ସଂକ୍ରିମତ ହୋଇ ବ୍ରାଜିଲ ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ସୁଆରେଜ କେବଳ ବ୍ରାଜିଲ ଗେମ୍ ନୁହେଁ ଶନିବାର ଆଟ୍ଲେଟିକୋ ମାଡ୍ରିଡ୍ ଓ ତାଙ୍କ ପୂର୍ବତନ କ୍ଲବ ବାର୍ସିଲୋନା ମଧ୍ୟରେ ଖେଳାଯିବାକୁ ଥିବା ସ୍ପାନିଶ ଲିଗ୍ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଛନ୍ତି।