ସ୍ତ୍ରୀଙ୍କ ସହ କଂଗ୍ରେସରେ ମିଶିଲେ ସୁବର୍ଣ୍ଣ ନାୟକ

ଭୁବନେଶ୍ୱର (ସୁନୀତ ମିଶ୍ର) /କେନ୍ଦୁଝର,(ନରେଶ ଚନ୍ଦ୍ର ପଟ୍ଟନାୟକ) ୯ା୪:କେନ୍ଦୁଝର ସଦରର ପୂର୍ବତନ ବିଜେଡି ବିଧାୟକ ସୁବର୍ଣ୍ଣ ନାୟକ ତାଙ୍କ ସ୍ତ୍ରୀ ପ୍ରତିଭା ମଞ୍ଜରୀ ନାୟକଙ୍କ ସହିତ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କର ବହୁ ସମର୍ଥକ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଜିଲା ସଭାପତି ମୋହନ ପରିଡ଼ା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ସମ୍ପାଦକ ସଂଗ୍ରାମ ଦାସ, ଜିଲା ଆଦିବାସୀ ସେଲ ସଭାପତି ବିନୋଦ ବିହାରୀ ନାୟକ, ଯୁବ ସଭାପତି ସୁନେଶ ଧିର ପ୍ରମୁଖ ଉପସ୍ଥିତ ଥିଲେ।
ନାୟକ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡିର ବିଧାୟକ ଥିଲେ। ତେବେ ଦୀର୍ଘ ବର୍ଷ ଅପେକ୍ଷା ପରେ ଦଳ ତାଙ୍କୁ ଅଣଦେଖା କରିବାରୁ ବାଧ୍ୟ ହୋଇ ଦଳ ଛାଡ଼ିଥିବା କହିଛନ୍ତି। ସେହିପରି ତାଙ୍କ ସ୍ତ୍ରୀ ମଧ୍ୟ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଝୁମ୍ପୁରା ବ୍ଲକ୍‌ ଅଧ୍ୟକ୍ଷା, ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ୧୬ ନମ୍ବର୍‌ ଜୋନ୍‌ରୁ ଜିଲା ପରିଷଦ ସଦସ୍ୟ ଭାବେ ବିଜୟୀ ହୋଇଥିଲେ। ସେ ମଧ୍ୟ ବିଜେଡିର ରାଜ୍ୟ କାଉନ୍‌ସିଲ ସଦସ୍ୟା ଥିଲେ। ଦଳ ସେମାନଙ୍କୁ ଅଣଦେଖା କରିଥିବାରୁ ଜନସେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଉଭୟ କହିଛନ୍ତି। ଭାଜପା ଓ ବିଜେଡି ପକ୍ଷରୁ ଆଦିବାସୀଙ୍କ ପ୍ରତି କରାଯାଉଥିବା ଅବହେଳାକୁ ନେଇ ଲୋକଙ୍କ ପାଖକୁ ଯିବେ। ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଜିଲାର ବିକାଶରେ ଲଢ଼େଇ ଜୋରଦାର କରିବେ ବୋଲି କହିଛନ୍ତି।

Share