ସୁବର୍ଣ୍ଣରେଖା ବନ୍ଦର ବିବାଦ: ସର୍ଭେ ଟିମ୍‌ର ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାଲିଆପାଳ, ୫।୫(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଦକ୍ଷିଣା ବାଲିଆପାଳର ସମୁଦ୍ର ଉପକୂଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ବିବାଦ ଥମିବାର ନାଁ ଧରୁନି। ଗ୍ରାମବାସୀ ସଜାଗ୍ର ପ୍ରହରୀ ପରି ସମୁଦ୍ର ଓ ଉପକୂଳ ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି। ବୁଧବାର ମଧ୍ୟାହ୍ନରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦରର ୬ଜଣିଆ ଟିମ୍‌ ଚୌମୁଖ ସମୁଦ୍ର ବେଳାଭୂମିରେ ସମୁଦ୍ରର ସର୍ଭେ କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ବେଳାଭୂମିରୁ ଧରି ଆଣି ପଞ୍ଚାୟତ କାର୍ଯ୍ୟାଳୟରେ ଅଟକ ରଖିଥିଲେ। ଅନ୍ୟ ୫ଜଣ ବେଳାଭୂମି ଜଙ୍ଗଲରେ ଲୁଚି ରହିଥିବା ନେଇ ଅନୁମାନ କରାଯାଉଛି। ଅଟକ ଯୁବକଜଣକ ଅଣଓଡ଼ିଆ। ତାଙ୍କ ନାମ ଅମର ଚତୁର୍ବେଦ୍ଦୀ ବୋଲି ସେ କହିଛନ୍ତି। ଧୀରେ ଧୀରେ ଚୌମୁଖ ପଞ୍ଚାୟତ କାର୍ଯ୍ୟାଳୟରେ ଲୋକ ଗହଳି ବଢ଼ିବାରେ ଲାଗିବା ସହିତ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି।