ଆଜି ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ୨ୟ ପର୍ଯ୍ୟାୟ: ଏହି ନମ୍ବରକୁ କଲ୍‌ କରି ପାଆନ୍ତୁ ଅପ୍‌ଡେଟ୍‌

ଭୁବନେଶ୍ୱର, ୯ା୧୦(ସୁନିତ୍‌ ମିଶ୍ର):‘ସୁଭଦ୍ରା’ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ବୁଧବାର ମଧ୍ୟାହ୍ନ ୧୨ଟା ପୂର୍ବରୁ ଟଙ୍କା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ପ୍ରଭାତୀ କହିଛନ୍ତି, ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଠାଇବେ। ଏନ୍‌ସିପିଆଇ କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ। ଏ ପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ ହେବାକୁ ୧ କୋଟି ୨୦ ହଜାରରୁ ଅଧିକ ମହିଳା ହିତାଧିକାରୀ ପଞ୍ଜୀକରଣ କରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ସୁଭଦ୍ରା ଯୋଜନାରେ କୋଟିଏରୁ ଅଧିକ ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ଼ ଉପଲବ୍ଧି ହେବ ବୋଲି ପ୍ରଭାତୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ବାରିପଦାର ଛଉ ପଡ଼ିଆଠାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥରାଶି ବଣ୍ଟନ କରିବେ। ସୁଭଦ୍ରା ଯୋଜନା ସମ୍ବନ୍ଧୀୟ ସମସ୍ତ ଖବର ପାଇଁ ପ୍ରସ୍ତୁତ ଅଫିସିଆଲ ୱେବ୍‌ସାଇଟ କିମ୍ବା ଅଫିସିଆଲ ସୋସିଆଲ ମିଡିଆକୁ ଅନୁସରଣ କରନ୍ତୁ କିମ୍ବା ଟୋଲ ଫ୍ରି ନମ୍ବର(୧୪୬୭୮)କୁ କଲ୍‌ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ସୂଚନା ଦେଇଛନ୍ତି।