ଭୁବନେଶ୍ୱରର ୬୬୫ ସ୍ଥାନରେ ବଣ୍ଟନ ହେବ ‘ସୁଭଦ୍ରା’ ଫର୍ମ

ଭୁବନେଶ୍ୱର,୪।୯ (ବନ୍ଦନା ସେଠୀ):ସୁଭଦ୍ରା ଯୋଜନା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆବେଦନପତ୍ର ବା ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମହାନଗର ନିଗମାଞ୍ଚଳର ୬୬୫ଟି ସ୍ଥାନରେ ଏହି ଫର୍ମ ବଣ୍ଟନ କରାଯିବ। ପ୍ରତି ୱାର୍ଡରେ ଅତି କମ୍‌ରେ ୨ଟି ସ୍ଥାନରେ ଫର୍ମ ବା ଆବେଦନପତ୍ର ଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ମହିଳାମାନଙ୍କୁ ଫର୍ମ ବଣ୍ଟନର ବ୍ୟବସ୍ଥା କରାଯାଇଛି। ଏହି ଫର୍ମ ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି। ଯୋଗ୍ୟ ହିତାଧିକାରୀମାନେ ଯେପରି ସୁବିଧାରେ ଆବେଦନପତ୍ର ପାଇପାରିବେ ଓ ଆବେଦନ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି। ବିଏମ୍‌ସିର ୩ଟି ଜୋନ୍‌ ଯଥା ଉତ୍ତର ଜୋନ୍‌ର ୪୨ଟି ସ୍ଥାନରେ, ଦକ୍ଷିଣ-ପୂର୍ବ ଜୋନ୍‌ର ୫୦ଟି ସ୍ଥାନରେ ଏବଂ ଦକ୍ଷିଣ-ପଶ୍ଚିମ ଜୋନ୍‌ର ୪୨ଟି ସ୍ଥାନରେ ଏହି ଫର୍ମ ବଣ୍ଟନ କରାଯାଉଛି। ସେହିପରି ସିଡିପିଓ-୧ଙ୍କ ଅଧୀନରେ ୧୨୦ଟି ଅଙ୍ଗନୱାଡି କେନ୍ଦ୍ର, ସିଡିପିଓ-୨ଙ୍କ ଅଧୀନରେ ୧୦୨ଟି ଅଙ୍ଗନୱାଡି କେନ୍ଦ୍ର ଏବଂ ସିଡିପିଓ-୩ଙ୍କ ଅଧୀନରେ ୧୫୬ଟି ଅଙ୍ଗନୱାଡି କେନ୍ଦ୍ରରେ ସୁଭଦ୍ରା ଫର୍ମ ବଣ୍ଟନ କରାଯାଉଛି। ଏହା ବ୍ୟତୀତ ୧୫୬ଟି ଜନସେବା କେନ୍ଦ୍ର/ମୋ ସେବା କେନ୍ଦ୍ରରେ ମଧ୍ୟ ଫର୍ମ ମିଳୁଛି। ଫର୍ମ ନେବା ପାଇଁ କିମ୍ବା ଫର୍ମ ବଣ୍ଟନ ସ୍ଥାନରେ ଭିଡ଼ ନ କରିବାକୁ କମିଶନର ପରାମର୍ଶ ଦେଇଛନ୍ତି। ଫର୍ମକୁ ନିର୍ଭୁଲ ଭାବେ ପୂରଣ କରି ନିଜ ୱାର୍ଡର ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ରରେ ପ୍ରଦାନ କରିବେ କିମ୍ବା ଅନଲାଇନରେ ଅପଲୋଡ୍‌ କରିପାରିବେ। ତେବେ ଆବେଦନ ପରେ ପ୍ରାପ୍ତି ସୂଚନା ଆଣିବାକୁ କମିଶନର ପରାମର୍ଶ ଦେଇଛନ୍ତି। ଯେଉଁ ଆବେଦନକାରୀଙ୍କର ଆଧାର ଆକାଉଣ୍ଟରେ ଲିଙ୍କ୍‌ ହୋଇନାହିଁ, ଯୁଗ୍ମ ଆକାଉଣ୍ଟ ଅଛି କିମ୍ବା ଅନ୍ୟ କୌଣସି ସମସ୍ୟା ଅଛି, ସେମାନେ ତୁରନ୍ତ ସଂଶୋଧନ କରି ଆବେଦନ କରିପାରିବେ। ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୩୦ହଜାର ଫର୍ମ ଛପାହୋଇ ବିଭିନ୍ନ କେନ୍ଦ୍ରକୁ ପଠାଯାଇଛି। ଜନସଂଖ୍ୟା ଅନୁଯାୟୀ, ବିଏମ୍‌ସି ଅଞ୍ଚଳରେ ୧ ଲକ୍ଷ ୫୦ ହଜାରରୁ ୧ ଲକ୍ଷ ୭୦ ହଜାର ଫର୍ମ ଆବଶ୍ୟକତା ପଡ଼ିପାରେ। ସେହି ଅନୁଯାୟୀ ଫର୍ମ ବଣ୍ଟନ କରାଯିବ। ତେଣୁ କେହି ବ୍ୟସ୍ତ ନ ହେବା ପାଇଁ କମିଶନର ପରାମର୍ଶ ଦେଇଛନ୍ତି।

Share