ଆଜି ସୁଭଦ୍ରା ଟଙ୍କା ନ ଆସିଲେ, ପୁଣି କେବେ ମିଳିବ… ଆସିଲା ବଡ଼ ଅପଡେଟ୍‌

ଭୁବନେଶ୍ୱର,୯।୧୦: ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ’ସୁଭଦ୍ରା’ ଟଙ୍କା ଆସିଛି । ବାରିପଦା ଛଉ ପଡ଼ିଆ ସଭାରେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଟଙ୍କା ବଣ୍ଟନ କରିଛନ୍ତି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଟଙ୍କା ଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ଆଜି ଦ୍ବିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ଦିଆଗଲା। ସନ୍ଧ୍ୟା ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା। ହେଲେ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଯଦି ଯେଉଁ ହିତାଧିକାରୀଙ୍କୁ ଆଜି ଟଙ୍କା ମିଳିନାହିଁ, ତା’ହେଲେ ସେମାନଙ୍କୁ କେବେ ମିଳିବ।

ସୂଚନାନୁସାରେ, ଆଜି ଟଙ୍କା ପାଇନଥିବା ମହିଳାମାନେ ମାର୍ଚ୍ଚ ୮ରେ ସୁଭଦ୍ରାର ପ୍ରଥମ କିସ୍ତି ଓ ଦ୍ୱିତୀୟ କିସ୍ତି ମିଶିକି ପାଇବେ। ଯେଉଁମାନେ ଡିସେମ୍ବର ପର୍ଯ୍ୟନ୍ତ ଆବେଦନ କରିଥିବେ ସେମାନେ ପ୍ରଥମ କିସ୍ତିର ଲାଭ ପାଇବେ । ଯେଉଁ ମହିଳାମାନଙ୍କ ଖାତାକୁ ପ୍ରଥମ କିସ୍ତି ଭାବେ ୫ ହଜାର ଟଙ୍କା ଆସିଛି, ସେମାନେ ଦ୍ୱିତୀୟ କିସ୍ତି ଭାବରେ ମାର୍ଚ୍ଚରେ ୮ ରେଟଙ୍କା ପାଇବେ।

ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଛନ୍ତି। ଆକାଉଣ୍ଟକୁ ୫ ହଜାର ଟଙ୍କା ଆସିଥିବା ନେଇ ହିତାଧିକାରୀ ପାଖକୁ ମେସେଜ ଆସିଛି। ଆଉ ସନ୍ଧ୍ୟା ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଟଙ୍କା ଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ପାର୍ବଣରେ ମହିଳାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଆସି ଥିବାରୁ ହିତାଧିକାରୀଙ୍କ ଘରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

ଗତ ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।