ସୁଭଦ୍ରା ଟଙ୍କା ପାଇଁ ଠେଲାପେଲା: ମେସେଜ ଆସିନଥିବାରୁ ବ୍ୟାଙ୍କରେ ଭୟଙ୍କର ଭିଡ

ବରୀ,୧୮ା୯(ମହେନ୍ଦ୍ର ସ୍ୱାଇଁ): ସାରା ଓଡ଼ିଶାରେ ଏବେ ସୁଭଦ୍ରା ଚର୍ଚ୍ଚା। ଯୁଆଡେ ଦେଖିଲେ ସମସ୍ତଙ୍କ ମୁହଁରେ ସୁଭଦ୍ରା ଟଙ୍କା ଆସିଲା କି ନାହିଁ ପ୍ରଶ୍ନ। ଏହାରି ମଧ୍ୟରେ ଯେଉଁମାନଙ୍କର ବ୍ୟାଙ୍କ ଖାତାରେ ମୋବାଇଲ ନମ୍ବର ଲିଙ୍କ ନାହିଁ, ସେମାନଙ୍କର ସୁଭଦ୍ରା ଟଙ୍କା ଆସିଛି କି ନାହିଁ ଜାଣିବା ଲାଗି ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳାମାନେ ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍ ଲଗାଉଥିବାର ଦେଖିବାକୁ ମିଳୁଛି।

ଏହାରି ମଧ୍ୟରେ ଯାଜପୁର ବରୀ ଅଞ୍ଚଳରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ମହିଳାମାନେ ଶିଢ଼ିରେ ଲମ୍ବା ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳୁଛି। ମେସେଜ ଆସିନଥିବାରୁ ଆକାଉଣ୍ଟ ଚେକ୍ ବିପଦପୂର୍ଣ୍ଣ ଅବସ୍ଥାରେ ମହିଳାମାନେ ଧାଡି ଲଗାଇଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ସୁଇଚ ଟିପି ରାଜ୍ୟର ୨୫ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ପ୍ରଥମ କିସ୍ତି ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ଏହି ଯୋଜନା ରାଜ୍ୟର ସବୁଠାରୁ ବଡ, ବ୍ୟକ୍ତିଗତ ମହିଳାକୈନ୍ଦ୍ରିକ ଯୋଜନା। ଏଥିରେ ୫ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ପ୍ରତି ବର୍ଷ ୧୦ ହଜାର ଟଙ୍କା ଦିଆଯିବ। ୫ ବର୍ଷରେ ମିଳିବ ୫୦ ହଜାର ଟଙ୍କା । ଗୋଟିଏ କିସ୍ତି ଆନ୍ତର୍ଜାତିକ ମହିଳା ଦିବସ ମାର୍ଚ୍ଚ ୮ ତାରିଖ ଏବଂ ଦ୍ୱିତୀୟ କିସ୍ତି ରାକ୍ଷୀ ପୂର୍ଣ୍ଣିମା ଦିନ ଦିଆଯିବ।

ସେହିପରି ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ଯେ ରାଜ୍ୟରେ ଆଜି ସୁଦ୍ଧା  ସୁଭଦ୍ରା ଯୋଜନାରେ ୭୨ଲକ୍ଷ ମହିଳା ପଞ୍ଜୀକୃତ ହେଲେଣି। ଓଡିଶାର ମହିଳା ମାନଙ୍କ ବିକାଶ ପାଇଁ ସୁଭଦ୍ରା ହେଉଛି ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଗ୍ୟାରେଣ୍ଟି। ବିକଶିତ ଓଡିଶାର ମୂଳପିଣ୍ଡ ହେବ ସୁଭଦ୍ରା ବୋଲି ସେ କହିଥିଲେ।
Share