କାଲି ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀ କହିଲେ ମୋବାଇଲକୁ ଆସୁଥିବା ଲିଙ୍କ୍‌ରେ…

ଭୁବନେଶ୍ୱର,୧୬ା୯: ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୁଭଦ୍ରା ହିତାଧିକାରୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଆଉ କିଛି ମଧ୍ୟ ଦ୍ୱନ୍ଦ୍ୱ ଭିତରେ ରହିଛନ୍ତି ଯେ, ତାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଆସିବ କି ନାହିଁ। ଏହାରି ଭିତରେ ସାଇବର ଠକ ମଧ୍ୟ ମାତିଲେଣି। କିଛି ହିତାଧିକାରୀଙ୍କ ମୋବାଇଲକୁ ଫେକ୍‌ ଲିଙ୍କ୍‌ ଆସୁଛି। ତେଣୁ ଏଭଳି ଲିଙ୍କ୍‌ରେ କ୍ଲିକ ନ କରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏଯାଏ ୬୫ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି। ରାଜ୍ୟର ସମସ୍ତ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ବୋଲି ସେ ପୁଣିଥରେ ଦୋହରାଇଛନ୍ତି।
ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ସୁଭଦ୍ରା’ର ଶୁଭାରମ୍ଭ କରିବେ। ଏହା ସର୍ବବୃହତ୍, ଏକକ ମହିଳା କୈନ୍ଦ୍ରିକ ଯୋଜନା ଏବଂ ଏଥିରେ ୧ କୋଟିରୁ ଅଧିକ ମହିଳା ସାମିଲ ହେବେ ବୋଲି ଆଶା କରାଯାଉଛି। ଏହି ଯୋଜନା ଅଧୀନରେ ୨୧-୬୦ ବର୍ଷ ବୟସର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ୫ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କା ମିଳିବ। ଦୁଇଟି ସମାନ କିସ୍ତିରେ ବାର୍ଷିକ ୧୦ ହଜାର ଟଙ୍କା ହିତାଧିକାରୀଙ୍କ ଆଧାର ସକ୍ଷମ ଏବଂ ଡିବିଟି ସକ୍ଷମ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ। ଏହି ଐତିହାସିକ ମୂହୂର୍ତ୍ତ ଅବସରରେ ପ୍ରଧାନମନ୍ତ୍ରୀ ୧୦ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ହସ୍ତାନ୍ତରର ଶୁଭାରମ୍ଭ କରିବେ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଆସିବ। ବ୍ୟସ୍ତ ହେବାର କିଛି ନାହିଁ। ଯେଉଁମାନେ ୧୭ ତାରିଖ ପରେ ଆବେଦନ କରିବେ ସେମାନଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ଯିବ। ଆଉ ଯେଉଁମାନେ ବାହାରେ ରହି ଯାଇଛନ୍ତି ଏ ମାସରେ ଆବେଦନ କରି ନାହାନ୍ତି ସେମାନେ ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ। ତାଙ୍କ ଆକାଉଣ୍ଟକୁ ମଧ୍ୟ ସୁଭଦ୍ରା ଟଙ୍କା ଯିବ।

 

Share