ସୁଭଦ୍ରା ଯୋଜନା ଅପଡେଟ୍‌: ଗାଇଡ୍‌ଲାଇନରେ ପରିବର୍ତ୍ତନ ଆଣିଲେ ସରକାର, ଏଣିକି ଏହି ଆଧାରରେ ହେବ ଆବେଦନ

ଭୁବନେଶ୍ୱର,୬।୯: ରାଜ୍ୟରେ ଆରମ୍ଭ ହୋଇଯାଇଛି ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା । ଏହି ସମୟରେ ରାଜ୍ୟ ସରକାର ଏବେ ଏହି ଯୋଜନାର ନିୟମକୁ ସାମାନ୍ୟ କୋହଳ କରିଛନ୍ତି । ଆଧାର ନମ୍ବର ସହିତ ମୋବାଇଲ ଫୋନ ନମ୍ବର ଲିଙ୍କ ହୋଇନଥିଲେ ମଧ୍ୟ ବାୟୋମେଟ୍ରିକ ପଦ୍ଧତିରେ ଆଧାର ପ୍ରମାଣୀକରଣ କରାଯାଇପାରିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ତେଣୁ ବିନା ମୋବାଇଲ ନମ୍ବର ଲିଙ୍କରେ ମଧ୍ୟ ସୁଭଦ୍ରା ଯୋଜନା ପାଇଁ ଆବେଦନ ପୂରଣ ଓ ପଞ୍ଜିକରଣ କରିହେବ ବୋଲି ସରକାର କହିଛନ୍ତି ।

ଏହି ଯୋଜନା ପାଇଁ ପୂର୍ବରୁ ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଗାଇଡଲାଇନ ଜାରିକରିଥିଲେ। ଗାଇଡଲାଇନ ଅନୁଯାୟୀ, ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଇ-କେୱାଇସି (E-KYC) ବାଧ୍ୟତାମୂଳକ ଥିଲଶ ଏଥିସହ ଆଧାର କାର୍ଡ ସହ ମୋବାଇଲ ଫୋନ ଲିଙ୍କ ମଧ୍ୟ ଆବଶ୍ୟକ ରହିଥିଲା। ନ ଚେତ ସୁଭଦ୍ରା ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେବେ ବୋଲି କୁହାଯାଇଥିଲା।

ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୁରୁବାର ‘ସୁଭଦ୍ରା’ ସହାୟତା କେନ୍ଦ୍ର ପରିଦର୍ଶନ କରିବା ସହ ଯେଭଳି କୌଣସି ଜଣେବି ହିତାଧିକାରୀ ବାଦ ନପଡିବେ ସେଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣର କୌଣସି ଶେଷ ତାରିଖ ନାହିଁ। ରାଜ୍ୟର ସମସ୍ତ ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ‘ସୁଭଦ୍ରା’ ଯୋଜନାର ଫର୍ମ ଉପଲବ୍ଧ ଅଛି । ସୁଭ୍ରଦା ଫର୍ମ ଦାଖଲ କରିବା ପାଇଁ ଆଧାର ସହିତ ମୋବାଇଲ ନମ୍ବର ଲିଙ୍କ ହୋଇ ନ ଥିଲେ ବି ଆବେଦନ କରାଯାଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Share