ସୁଭଦ୍ରା ଯୋଜନା: ଆବେଦନର ତଦାରଖ କରିବେ ବରିଷ୍ଠ ଅଧିକାରୀ

ଭବାନୀପାଟଣା,୧୪ା୯ (ଉତ୍ତମ କୁମାର ଦାଶ):ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ କଳାହାଣ୍ଡି ଜିଲାବ୍ୟାପୀ ଆବେଦନ ପ୍ରକ୍ରିୟା ଚାଲୁରହିଛି। ଜିଲାର ୨୧ବର୍ଷରୁ ଊର୍ଦ୍ଧ୍ୱ ୬୦ବର୍ଷରୁ କମ ବୟସ୍କ ମହିଳା ଯାହାଙ୍କ ବାର୍ଷିକ ପାରିବାରିକ ଆୟ ୨ଲକ୍ଷ ୫୦ହଜାରରୁ କମ ହୋଇଥିବ ସେମାନଙ୍କୁ ଆବେଦନ କରିବା ପାଇଁ ଉତ୍ସାହିତ କରାଯାଉଛି। ଏହି ଅବସରରେ ଜିଲାପାଳ ସଚିନ ପାଓ୍ବାର ପ୍ରକାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲା ପ୍ରଶାସନ ତରଫରୁ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯାଉଛି। ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ତଦାରଖ କରିବା ନିମନ୍ତେ ଜିଲାପାଳ ଜିଲାର ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକର ନୋଡାଲ ଅଫିସର ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି। ଅତିରକ୍ତ ଜିଲାପାଳ (ସାଧାରଣ) ତନ୍ମୟ ଦରୱାନଙ୍କୁ କେସିଙ୍ଗା ବ୍ଲକ ତଦାରଖ ଦାୟିତ୍ୱ ଦିଆଯାଇଛି। ସେହିପରି ଅତିରିକ୍ତ ଜିଲାପାଳ (ରାଜସ୍ବ) ତ୍ରିଲୋଚନ ପାତ୍ରଙ୍କୁ ଭବାନୀପାଟଣା, ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମାଙ୍କୁ ଧର୍ମଗଡ଼ ଓ ଗୋଲାମୁଣ୍ଡା, ଭବାନୀପାଟଣା ଉପଜିଲାପାଳ ଜୟଦେବ ଦାସଙ୍କୁ କର୍ଲାମୁଣ୍ଡା ସମେତ ଜୁନାଗଡ଼ ଓ କଲମପୁର, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲାପରିଷଦଙ୍କୁ ଥୁଆମୂଳ ରାମପୁର, ଡିପିସି ମିଶନ ଶକ୍ତିଙ୍କୁ ଲାଞ୍ଜିଗଡ଼, ଡିପିଏମ୍‌ ଓଏଲ୍‌ଏମ୍‌ଙ୍କୁ ଜୟପାଟଣା, ଡିଏସ୍‌ଡବ୍ଲ୍ୟୁଓ ଡିପିସିଙ୍କୁ କୋକସରା ବ୍ଲକ ନୋଡାଲ ଅଫିସର ଭାବେ ତଦାରଖ ଦାୟିତ୍ୱ ଦିଆଯାଇଛି। ଜିଲାର ସମସ୍ତ ୨୩୬୩ ଅଙ୍ଗନୱାଡି କେନ୍ଦ୍ରରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଫର୍ମ ମିଳୁଥିବା ବେଳେ ମୋଟ ୧୫୬୨ ଜନସେବା କେନ୍ଦ୍ର,୧୩୯ ମୋ ସେବା କେନ୍ଦ୍ରରେ ମହିଳାମାନେ ଆବେଦନ କରୁଛନ୍ତି।
ପ୍ରକାଶ ଯେ, ଏହି ଯୋଜନାରେ ଯୋଗ୍ୟ ମହିଳାମାନଙ୍କୁ ୫ବର୍ଷରେ ୫୦ହଜାର ଟଙ୍କା ଦିଆଯିବ। ପ୍ରତ୍ୟେକ ବର୍ଷ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ଲେଖାଏ ଦିଆଯିବ। ଯୋଜନା ସମ୍ପର୍କରେ ଜନସଚେତନତା ପାଇଁ ୭ଗୋଟି ସଚେତନତା ରଥ ୧୩ଟି ବ୍ଲକରେ ଗତ ୭ତାରିଖରୁ ବୁଲୁଛି। ଏହା ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଲିଫ୍‌ଲେଟ, ବ୍ୟାନର, ୱାଲ ପେଣ୍ଟିଂ, ମାଧ୍ୟମରେ ମଧ୍ୟ ସୂଚନା ଦିଆଯାଉଛି। ଆବେଦନକାରୀଙ୍କ ଫର୍ମ ଗ୍ରହଣ କରୁଥିବା କେନ୍ଦ୍ରଗୁଡିକ ଜିଲାପାଳ ପରିଦର୍ଶନ କରି ସୁଚାରୁରୂପେ ପରିଚାଳନା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲାର ୧,୯୧,୫୨୨ରୁ ଅଧିକ ଆବେଦନ କରିଥିବା ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି।