ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ଭିତରେ ବଢ଼ିଲା ଉତ୍ସାହ, ୧୭କୁ ଅପେକ୍ଷା

ଦାରିଙ୍ଗବାଡ଼ି,୧୪ା୯(ଅରୁଣ ସାହୁ): ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାର ଯେତିକି ତତ୍ପରତା ଦେଖାଉଛନ୍ତି ସେତିକି ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପକ୍ଷରୁ ଯୋଜନାକୁ ନେଇ ତତ୍ପରତା ବୃଦ୍ଧି ପାଉଛି। ସେହି କ୍ରମରେ ଗାଁ ତଥା ଦୁର୍ଗମ ଗାଁଗୁଡ଼ିକରେ ମଧ୍ୟ ଏହି ଯୋଜନାକୁ ନେଇ ୨୧ ବର୍ଷଠାରୁ ୬୦ ବର୍ଷ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ତେବେ ଏହି ଯୋଜନାରେ କିଭଳି ସମସ୍ତ ହିତାଧିକାରୀ ସଫଳତାର ସହ ନିଜ ନାମ ପଞ୍ଜୀକୃତ କରିବେ ତାକୁ ନେଇ ରାଜ୍ୟ ସରକାର ସମସ୍ତ ପ୍ରୟାସ କରୁଛନ୍ତି। ଗତ ୩ ଦିନ ହେଲା ଗାଁ ଗାଁରେ ଏହି ଯୋଜନା ସମ୍ପର୍କରେ ଜନସଚେତନ କରିବା ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ୨୫ ପଞ୍ଚାୟତରେ ସୁଭଦ୍ରା ରଥ ବୁଲୁଥିବା ବେଳେ ଶନିବାର ସୁଦ୍ଧା ପ୍ରାୟ ୧୫ଟି ପଞ୍ଚାୟତ ରଥ ବୁଲିସାରିଲାଣି। ଶନିବାର ପ୍ଳିହେରି ସମେତ ଗ୍ରୀନବାଡ଼ି, ଦାନେକବାଡ଼ି, ପ୍ଳିହେରି ଏବଂ ସିର୍କାବର୍ଗରେ ଏହି ରଥ ପହଞ୍ଚି ଲୋକଙ୍କୁ ସଚେତନ କରିଛି। ସବୁଠି ସୁଭଦ୍ରା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଉଥିବା ବେଳେ ଘଣ୍ଟ, ହୁଳହୁଳି ସହ ନଡ଼ିଆ ଭାଙ୍ଗି ସ୍ବାଗତ କରାଯାଇଛି। ଏହି ସମୟରେ ସରପଞ୍ଚ, ସମିତିସଭ୍ୟ, ଅଙ୍ଗନଓ୍ବାଡ଼ି କର୍ମୀ ଓ ଅନ୍ୟ ପଞ୍ଚାୟତ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ସମସ୍ତ କାର୍ଯ୍ୟକୁ ବିଡିଓ ଗଦାଧର ପାତ୍ର ତଦାରଖ କରିଛନ୍ତି।