ମୁମ୍ବାଇ,୩।୧୧: ଫେଡେରେଶନ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ(ଫିକି)ର ପରବର୍ତ୍ତୀ ସଭାପତି ଭାବେ ଇମ୍ପାର ଏମ୍ଡି ଶୁଭ୍ରକାନ୍ତ ପଣ୍ଡା ମନୋନୀତ ହୋଇଥିବା ଜଣାପଡ଼ିଛି। ଏପରିକି ବୁଧବାର ମୁମ୍ବାଇଠାରେ ଆୟୋଜିତ ଫିକିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିବା ସହ ଏ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ସେହିଭଳି ଆସନ୍ତା ଡିସେମ୍ବର ୧୬ ଓ ୧୭ ତାରିଖରେ ହେବାକୁ ଥିବା ଫିକିର ୯୫ତମ ବାର୍ଷିକ ସାଧାରଣ ବୈଠକରେ ପଣ୍ଡା ସଭାପତି ଭାବେ ବର୍ତ୍ତମାନର ସଭାପତି ସଞ୍ଜୀବ ମେହେଟ୍ଟାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ଫିକି ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଶୁଭ୍ରକାନ୍ତ ବର୍ତ୍ତମାନ ଫିକିର ବରିଷ୍ଠ ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।
ଏ ସମ୍ପର୍କରେ ଶୁଭ୍ରକାନ୍ତ କହିଛନ୍ତି, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଫିକି ଭଳି ଏକ ଅନୁଷ୍ଠାନକୁ ପରିଚାଳନା କରିବା ମୋ ପାଇଁ ଗୌରବର ବିଷୟ ଏବଂ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଓ ସରକାରଙ୍କ ପକ୍ଷରୁ ଅର୍ଥନୈତିକ ସଂସ୍କାରମୂଳକ ଏଜେଣ୍ଡାକୁ ନେଇ ଆଗକୁ ବଢ଼ିବା ମୋର ପ୍ରାଥମିକ ଲକ୍ଷ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିପରି ପ୍ରଥମ ଓଡ଼ିଆ ଭାବେ ସେ ଫିକିର ସଭାପତି ଭାବେ ଦାୟତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଗତ ୨୦ ବର୍ଷ ଧରି ସେ ଭାରତର ବିଭିନ୍ନ ଶିଳ୍ପସଂସ୍ଥା ସହ ଜଡ଼ିତ ରହିଛନ୍ତି।