ଭୁବନେଶ୍ୱର, ୨୬।୯(ଅସମାପିକା ସାହୁ):ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ର(ଡବ୍ଲ୍ୟୁଏସ୍ସି)ରେ ୨୦୨୩-୨୪ ବ୍ୟାଚ୍ରେ ନାମଲେଖା ପାଇଁ ଅନ୍ଲାଇନ ମାଧ୍ୟମରେ ସାର୍ଟିଫିକେଟ ଓ ଆବଶ୍ୟକ ବିଭିନ୍ନ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ମଙ୍ଗଳବାର ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ। ଏହା ୩୦ ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ। ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗରେ ଅନ୍ଲାଇନ ପ୍ରବେଶିକା ପରୀକ୍ଷା ଦେଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଏବଂ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗରେ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ଏହି ନିର୍ଦ୍ଧାରିତ ସମୟ ଭିତରେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବାକୁ ଦକ୍ଷତା କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବ୍ସାଇଟ୍ www.worldskillcenter.orgରେ ଦିଆଯାଇଥିବା ଲିଙ୍କ୍ରେ କ୍ଲିକ କରି ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିପାରିବେ।