‘ଶୁଣାଣିରେ ଭାଗନେଇ ନ ଥିଲେ ସତ୍ୟପାଠ ଦାଖଲ କର’

କଟକ ଅଫିସ/କୁଜଙ୍ଗ (ଡି.ଏନ.ଏ.),୧୨ା୩: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଛି। ପ୍ରକଳ୍ପକୁ ବିରୋଧ କରୁଥିବା ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ଗତ ଜାନୁୟାରୀ ୧୪ରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ହାଇକୋର୍ଟରେ ପୃଥକ୍‌ ଭାବେ ୩ଟି ଅଭିଯୋଗ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଇନଜୀବୀ କମିଟି ପକ୍ଷରୁ ଦ୍ୱିତୀୟ ଥର ପାଇଁ ଗତ ୫ ତାରିଖରେ ଉକ୍ତ ଅଞ୍ଚଳରେ ଜନଶୁଣାଣି କରାଯାଇଥିଲା। କିନ୍ତୁ ସେଥିରେ କେତେଜଣ ଗ୍ରାମବାସୀ ଭାଗ ନେଇପାରି ନ ଥିବା ନେଇ ଶୁକ୍ରବାର ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାକୁ ଗ୍ରହଣ କରି ହାଇକୋର୍ଟ ଯେଉଁମାନେ ଚାହିଁବେ ସେମାନେ ତାଙ୍କ ଆଇନଜୀବୀଙ୍କ ଜରିଆରେ ସରକାରୀ ଆଇନଜୀବୀଙ୍କ ନିକଟରେ ସତ୍ୟପାଠ ଦାଖଲ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ସତ୍ୟପାଠରେ ସେମାନେ ଉକ୍ତ ପ୍ରକଳ୍ପକୁ ବିରୋଧ କିମ୍ବା ସମର୍ଥନ କରୁଛନ୍ତି ତାହା ଉଲ୍ଲେଖ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏହି ସମସ୍ତ ସତ୍ୟପାଠକୁ ଜଗତ୍‌ସିଂହପୁର ଜିଲାପାଳଙ୍କୁ ପ୍ରଦାନ କରାଯିବ। ଜଗତ୍‌ସିଂହପୁର ଜିଲାପାଳ ଏହି ସତ୍ୟପାଠ ସହ ଗତ ୫ ତାରିଖରେ ଅନୁଷ୍ଠିତ ଜନଶୁଣାଣିର ଭିଡିଓକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ପଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଶୁକ୍ରବାର ଏହି ମାମଲାରେ ଆଇନଜୀବୀ ପ୍ରଶାନ୍ତ ଜେନା ଏବେ ବି ଢିଙ୍କିଆକୁ ପୋଲିସ ଭୟରେ ୩୦ ଜଣ ଲୋକ ଫେରି ନ ଥିବା ନେଇ ଅଦାଲତଙ୍କୁ ଅବଗତ କରିଥିଲେ। କିନ୍ତୁ ଭିଡିଓ କନ୍‌ଫରେନ୍ସ ଜରିଆରେ ହାଜର ହୋଇଥିବା ଜଗତ୍‌ସିଂହପୁର ଏସ୍‌ପି ଅଖିଳେଶ୍ୱର ସିଂ ଆଇନଜୀବୀ ଜେନାଙ୍କ ପକ୍ଷରୁ ଦିଆଯାଇଥିବା ୮୫ ଜଣଙ୍କ ତାଲିକା ମଧ୍ୟରୁ ୮୧ ଜଣ ଫେରି ଆସିଥିବାବେଳେ ଆଉ ମାତ୍ର ୪ ଜଣ ଫେରିନାହାନ୍ତି ବୋଲି ଅଦାଲତଙ୍କୁ କହିଥିଲେ। ଆଉ ଯେଉଁମାନେ ଫେରିନାହାନ୍ତି ବୋଲି କୁହାଯାଉଛି ସେମାନଙ୍କୁ ଜାନୁୟାରୀ ୧୪ ପୂର୍ବରୁ କେତେକ ଆପରାଧିକ ଘଟଣାରେ ଗିରଫ କରାଯାଇଥିବା ନେଇ ଅଦାଲତଙ୍କୁ କହିଥିଲେ। ଏହା ଉପରେ ହାଇକୋର୍ଟ ଜଗତସିଂହପୁର ଏସ୍‌ପିଙ୍କୁ ଯେଉଁମାନଙ୍କୁ ଜାନୁୟାରୀ ୧୪ ପୂର୍ବରୁ ଗିରଫ କରାଯାଇଛି ବୋଲି କୁହାଯାଉଛି ସେମାନଙ୍କ ନାଁରେ କେଉଁସବୁ ଦଫା ଲଗାଯାଇଛି ତାହାର ସବିଶେଷ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍‌ ରାଧିକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏପ୍ରିଲ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ସୂଚନାଥାଉ କି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୫ ତାରିଖରେ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା, ସୁକାନ୍ତ କୁମାର ଦଳାଇ, ଓମ୍‌କାର ଦେବଦାସ, ଜନ୍ମେଜୟ କଟକିଆ ଏବଂ ଦେବକାନ୍ତ ମହାନ୍ତିଙ୍କୁ ନେଇ ଗଠିତ ୫ ଜଣିଆ ଆଇନଜୀବୀ କମିଟି ଢିଙ୍କିଆ ଅଞ୍ଚଳ ପରିଦର୍ଶନ କରି ସେଠାରେ ଜନଶୁଣାଣି କରିଥିଲେ। ଶୁକ୍ରବାର କମିଟି ପକ୍ଷରୁ ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରାଯାଇଥିଲା।

Share