ଗୋଟବାୟାଙ୍କୁ ଭେଟିଲେ ସୁବ୍ରମଣ୍ୟମ

କଲମ୍ବୋ,୨୯।୯: ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ବର୍ତ୍ତମାନ ଶ୍ରୀଲଙ୍କା ଗତି କରୁଛି। ଫଳରେ ଦେଶବାସୀଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଜନସାଧାରଣଙ୍କ ତୀବ୍ର ବିରୋଧ ପରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେଙ୍କୁ ଦେଶ ଛାଡ଼ିବାକୁ ପଡ଼ିଥିଲା। ଇତିମଧ୍ୟରେ ଭାଜପାର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ୨ଦିନିଆ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସୁବ୍ରମଣ୍ୟମ ଗୁରୁବାର ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ସୁବ୍ରମଣ୍ୟମ ଓ ଗୋଟବାୟା ୨ଦେଶ ମଧ୍ୟରେ ଥିବା ମଜଭୁତ ସମ୍ପର୍କକୁ ନେଇ ଆଲୋଚନା କରିଥିଲେ। ସୂଚନା ମୁତାବକ, ସୁବ୍ରମଣ୍ୟମଙ୍କୁ ରାଜପାକ୍ସେ ପରିବାରର ଘନିଷ୍ଠ ବନ୍ଧୁ ଭାବେ ଜଣାଯାଏ। କଲମ୍ବୋର ସାର ଜନ୍‌ କୋଟେଲାୱାଲାରେ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସୁରକ୍ଷା ସମ୍ମିଳନୀରେ ଯୋଗଦେବା ପାଇଁ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣରେ ସୁବ୍ରମଣ୍ୟମ ପହଞ୍ଚିଥିଲେ। ବୁଧବାର ଗୋଟବାୟାଙ୍କ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସେଙ୍କ ଘରେ ଆୟୋଜିତ ହୋଇଥିବା ନବରାତ୍ରୀ ପୂଜାରେ ମଧ୍ୟ ସୁବ୍ରମଣ୍ୟମ ସାମିଲ ହୋଇଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି।

Share