ତାଳଚେର ଫର୍ଟିଲାଇଜର ୟୁରିଆ ପାଇଁ ସବ୍‌ସିଡି ନୀତି

ନୂଆଦିଲ୍ଲୀ/ଭୁବନେଶ୍ୱର, (ବ୍ୟୁରୋ)୨୧।୪:  ତାଳଚେର ସାର କାରଖାନା (ଟିଏଫ୍‌ଏଲ୍‌) ଦ୍ୱାରା କୋଇଲା ବାଷ୍ପୀକରଣ ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ ନିମନ୍ତେ ସ୍ବତନ୍ତ୍ର ସବ୍‌ସିଡି ନୀତି କାର୍ଯ୍ୟକାରୀ କରିବାକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ମିଳିଛି। କେନ୍ଦ୍ର ସାର ମନ୍ତ୍ରଣାଳୟ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଥିଲା ତାହା ବର୍ତ୍ତମାନ ଅନୁମୋଦନ ଲାଭ କରିଥିବା ଜଣାପଡିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଧର୍ମେନ୍ଦ୍ର ଟୁଇଟ୍‌ କରି କହିଛନ୍ତି, ଏହି ଐତିହାସିକ ନିଷ୍ପତ୍ତି ଆମର ଘରୋଇ ୟୁରିଆ କ୍ଷେତ୍ରରେ ବୈଶ୍ୱିକ ପ୍ରତିଯୋଗିତାକୁ ଅଧିକ ପ୍ରୋତ୍ସାହନ ଦେବ। ଏହାସହ ପରିବେଶ ସହଯୋଗୀ ସ୍ବଦେଶୀ ୟୁରିଆ ଉତ୍ପାଦନକୁ ଗତି ଦେବ।
ଦେଶରେ ଋଣକୌଶଳାତ୍ମକ ଶକ୍ତି ନିରାପତ୍ତା ନୀତି ୟୁରିଆ ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଓ ଦେଶରେ ଗଚ୍ଛିତ ଥିବା ବିପୁଳ କୋଇଲା ସମ୍ପଦକୁ ବିଚାରକୁ ନେଇ କେନ୍ଦ୍ର ସରକାର କୋଲ୍‌ ଗ୍ୟାସିଫିକେଶନ ବ୍ୟବସ୍ଥାରେ ତାଳଚେର ସାର କାରଖାନାକୁ ଅନୁମତି ଦେଇଥିଲେ। ଏହାଦ୍ୱାରା ଦେଶର ଚାଷୀଙ୍କ ୟୁରିଆ ଆବଶ୍ୟକତା ଅନେକାଂଶରେ ପୂରଣ ହୋଇପାରିବ। ସେହିଭଳି ଦେଶର ପୂର୍ବାଞ୍ଚଳରେ ବିକାଶ ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରିବ। ପୂର୍ବ ଭାରତକୁ ପଠାଯାଉଥିବା ସାର ପରିବହନ ବାବଦ ସବ୍‌ସିଡି ଯଥେଷ୍ଟ ହ୍ରାସ ପାଇବ। ୟୁରିଆ ଆମଦାନୀ ପରିମାଣ ୧୨.୭ ଲକ୍ଷ ମେଟ୍ରିକ ଟନ୍‌ ହ୍ରାସ ହେବ। ୟୁରିଆ ଆମଦାନୀ କମିବା ଦ୍ୱାରା ସରକାର ବିପୁଳ ପରିମାଣର ବୈଦେଶିକ ମୁଦ୍ରା ସଞ୍ଚୟ କରିପାରିବେ।
ତାଳଚେର ସାର ପ୍ରକଳ୍ପ ଆତ୍ମନିର୍ଭର ଭାରତ ଏବଂ ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହିତ କରିବ। ଏହାଦ୍ୱାରା ପୂର୍ବ ଭାରତର ସଡ଼କ, ରେଳପଥ, ଜଳଯୋଗାଣ ବ୍ୟବସ୍ଥା ଭଳି ଭିତ୍ତିଭୂମି କ୍ଷେତ୍ର ଲାଭବାନ ହୋଇପାରିବ। ଅନେକ ଅନୁସାରୀ ଶିଳ୍ପସଂସ୍ଥା ଗଢ଼ିଉଠିବ। ଉକ୍ତ ପ୍ରକଳ୍ପ ଦ୍ୱାରା ତାଳଚେର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ନୂଆ ଉଦ୍ୟୋଗ ଏବଂ ବ୍ୟବସାୟକୁ ପ୍ରୋତ୍ସାହିତ କରିବ।

Share