‘ପରିଶ୍ରମ କର ସଫଳତା ନିଶ୍ଚିତ ମିଳିବ’

ଗଞ୍ଜାମ,୧୦ା୮(ବିଦ୍ୟାଧର ସାହୁ)- ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅନିଲ ବିଶୋଇଙ୍କୁ ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠରେ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ସ୍କୁଲ କନ୍‌ଫେରେନ୍ସ ହଲରେ ଏକ ସଭା ଅନୁଷ୍ଠିତ ହୋଇଥିଲା। କ୍ରୀଡା ଶିକ୍ଷକ ପ୍ରତିରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ମହାପାତ୍ର ଓ ଅନିଲଙ୍କ ବାପା ଅଶୋକ ବିଶୋଇ ପ୍ରମୁଖ ମଞ୍ଚାସୀନ ଥିଲେ। ଅନିଲ ଭାରତୀ ବିଦ୍ୟାପୀଠ ୨୦୦୨ ମ୍ୟାଟ୍ରିକ ବ୍ୟାଚର ଛାତ୍ର। ସେ ପ୍ରତ୍ୟେକ ବର୍ଷ ଏହି ସ୍କୁଲର ମାଟ୍ରିକ ପରୀକ୍ଷାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହେଉଥିବା ଛାତ୍ରଙ୍କୁ ୫ହଜାର, ୩ ହଜାର ଓ ୨ ହଜାର ଲେଖାଏ ପୁରସ୍କାର ଦେବେ ବୋଲି ଏହି ଅବସରରେ ଘୋଷଣା କରିଥିଲେ। ଚଳିତ ବର୍ଷ ଏହି ବିଦ୍ୟାପୀଠର ମାଟ୍ରିକରେ ପ୍ରଥମ ସ୍ଥାନ ପାଇଥିବା ଅମିତ ପ୍ରଧାନ, ଦ୍ୱିତୀୟ ସ୍ଥାନ ପାଇଥିବା ତୋଫାନ ରାଉଳ ଏବଂ ତୃତୀୟ ହୋଇଥିବା ରାହୁଲ ଗୌଡ଼ଙ୍କୁ ଅର୍ଥ ରାଶି ସହ ସ୍କୁଲ ବ୍ୟାଗ ପ୍ରଦାନ କରିଥିଲେ। ପରିଶ୍ରମ କର ସଫଳତା ନିଶ୍ଚିତ ମିଳିବ ଏବଂ ମୁଁ ଏହା କରିପାରିବି ବୋଲି ଆତ୍ମବିଶ୍ୱାସ ରଖ ବୋଲି ଛାତ୍ରମାନଙ୍କ ଉଦ୍ଦେଶ୍ୟରେ କହିଥିଲେ। ଗଞ୍ଜାମ ସହର ହେଉଛି ମୋର ଜନ୍ମ ଭୂମି। ଯେଉଁଠି ବି କାମ କଲେ ମାତୃଭୂମି ପାଇଁ ସେବା ଜାରି ରହିବ ବୋଲି ଅନିଲ କହିଥିଲେ। ଅନିଲ ପ୍ରଥମେ ନାଭାଲରେ ଚାକିରି କରିବା ସହ ଓସିଏସ ପାଇଁ ପାଠ ପଢ଼ୁଥିଲେ। ବର୍ତ୍ତମାନ ଦିଲ୍ଲୀରେ ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ସେ କହିଛନ୍ତି ।

Share