ବିଜେଡି ସଫଳତା ଦେଖି ବିରୋଧୀ ଆଶ୍ଚର୍ଯ୍ୟ

ଭୁବନେଶ୍ୱର, ୨୮ା୨(ବ୍ୟୁରୋ): ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଗଣତି ଏକପାଖିଆ ଭାବେ ବିଜେଡି ସପକ୍ଷରେ ଯିବାରେ ଲାଗିଛି। ୬୦୦ ଜିଲା ପରିଷଦ ଆସନ ମଧ୍ୟରୁ ପ୍ରାୟ ୫୪୮ ଆସନରେ ବିଜେଡି ଆଗୁଆ ରହିଛି। ବିଜେଡି ତୁଳନାରେ ଭାଜପା, କଂଗ୍ରେସ ଏବଂ ସ୍ବାଧୀନ ପ୍ରାର୍ଥୀ ବହୁ ପଛରେ ରହିଛନ୍ତି। ଗତଥର ତୁଳନାରେ ବିଜେଡି ଏଥର ସମଗ୍ର ରାଜ୍ୟରେ ଅତ୍ୟନ୍ତ ଭଲ ପ୍ରଦର୍ଶନ ଜାରି ରଖିଛି। ଶାସକ ଦଳର ଏଭଳି ସଫଳତା ଆସିବା ପରେ ବିରୋଧୀ ଏକ ପ୍ରକାର ଚିନ୍ତାରେ ପଡ଼ିଯାଇଛନ୍ତି। ଗୋଟିଏ ଦଳ ସପକ୍ଷରେ ଏକପାଖିଆ ଜନମତ ପରେ ବିରୋଧୀ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହି ପାଲଟା ଜବାବ ଦେଇଛନ୍ତି। ହେଲେ ରାଜ୍ୟରେ ଲଗାତର ୨୨ ବର୍ଷର ଶାସନ ପରେ ସୁଦ୍ଧା ବିଜେଡିକୁ ଏଭଳି ଏକପାଖିଆ ଜନସମର୍ଥନ ମିଳିବା ପରେ ବିରୋଧୀ ଏକ ପ୍ରକାର ଧରାଶାୟୀ ହୋଇପଡ଼ିଛନ୍ତି। ସେହିଭଳି ବିଜେଡି ପ୍ରତି ଲୋକଙ୍କର ଏପରି ଏକପାଖିଆ ସମର୍ଥନ ମିଳିବାର କାରଣ କ’ଣ ବୋଲି ସବୁଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସେହିପରି ପଞ୍ଚାୟତ ଭୋଟ ପୂର୍ବରୁ ବିଜେଡି ନେତୃତ୍ୱ ସବୁଠାରେ ବିରୋଧୀଙ୍କୁ ଦଳରେ ସାମିଲ କରି ମଧ୍ୟ ନିଜ ଭୋଟକୁ ବହୁଗୁଣରେ ବୃଦ୍ଧି କରିପାରିଛନ୍ତି। ଏହାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଲୋକମାନେ ଗୋଟିଏ ଦଳକୁ ଭରସା କରି ମତ ଦେଉଛନ୍ତି। ରାଜ୍ୟରେ ବିରୋଧୀଙ୍କୁ ନିଶ୍ଚିହ୍ନ କରିବାକୁ ଚାହୁଁଛନ୍ତି। ଏହା ନିଶ୍ଚୟ ଗଣତାନ୍ତ୍ରିକ ଉପାୟ। ଲୋକଙ୍କ ମାନସିକତା, ଉପସ୍ଥିତି ଏବଂ ଆଲୋଚନା ଆଭାସ ଦେଇଥିଲା କିଛି ପରିବର୍ତ୍ତନ ହେବାକୁ ଯାଉଛି। ଲୋକମାନେ ମଧ୍ୟ ପରିବର୍ତ୍ତନ କଲେ ହେଲେ ଯାହା ଚାହୁଁଥିଲୁ ତା’ର ସମ୍ପୂର୍ଣ୍ଣ ଓଲଟା କଲେ ବୋଲି ନରସିଂହ କହିଛନ୍ତି। ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଏହା ଜନାଦେଶ ନୁହେଁ ବରଂ ଧନାଦେଶ। ସରକାରୀ କଳ ଓ ପ୍ରଶାସନର ଏଭଳି ରାଜନୀତୀକରଣ ସମ୍ପୂର୍ଣ୍ଣ ନିର୍ଲଜ୍ଜତାପୂର୍ଣ୍ଣ। ଯେପରି ଭୋଟ ହଜାର, ୫ ହଜାରରେ କିଣାଗଲା ଏହା ଏକ ପ୍ରକାର ଗଣତନ୍ତ୍ରର ହତ୍ୟା ସହ ସମାନ। ସତ୍ୟର କଣ୍ଠରୋଧ କରାଯାଇଛି। ଲୋକମାନେ ମଧ୍ୟ ଏସବୁକୁ ଗମ୍ଭୀରତାର ସହ ନେଇଛନ୍ତି ବୋଲି ପ୍ରତାପ କହିଛନ୍ତି। ବିଜେଡି ନେତା ପ୍ରତାପ ଦେବ ଉଭୟ କଂଗ୍ରେସ ଓ ଭାଜପାକୁ ଜବାବ ଦେଇ କହିଛନ୍ତି, ସରକାରୀ କଳ, ବାହୁବଳ, ଧନବଳ କଥା କହିବା ବିରୋଧୀଙ୍କ ପାଇଁ ନୂଆ ନୁହେଁ। ଜନାଦେଶକୁ ଏସବୁ ଲୋଭ କେବେହେଲେ ବଦଳାଇ ପାରିବନି। ଭାଜପା କେନ୍ଦ୍ରରେ ସରକାରରେ ଅଛି। ନିର୍ବାଚନ କମିଶନରଙ୍କ ତଥ୍ୟ ମୁତାବକ ଭାଜପାର ମଧ୍ୟ ଧନାଭାବ ନାହିଁ। ରେକର୍ଡ କହୁଛି, ସର୍ବାଧିକ ଅର୍ଥ ଭାଜପା ପାଖରେ ରହିଛି। ତେଣୁ ସେମାନେ ଏଭଳି କଥା କହି ଉତ୍ତର ଦେବା ଅନୁଚିତ। ନିଜ ଘର ନ ସଜାଡି ଅନ୍ୟ ଘରକୁ କାହିଁକି ଲୋକମାନେ ଗଲେ ବୋଲି ପ୍ରଶ୍ନ କରିବା ଠିକ୍‌ ନୁହେଁ ବୋଲି ପ୍ରତାପ କହିଛନ୍ତି।

Share