ତେବେ ଚନ୍ଦ୍ରୟାନ-୩ର ଏହି ସଫଳ ଅଭିଯାନ ପରେ ମନରେ ପ୍ରଶ୍ନ ଉଠେ: ଏ ଦିଗରେ ଆମର ପରବର୍ତ୍ତୀ ଲକ୍ଷ୍ୟ କ’ଣ ହେବ। ଚନ୍ଦ୍ରୟାନ-୩ ଅଭିଯାନ ମୂଳତଃ ଅନ୍ତରୀକ୍ଷରେ ଏକ ମାନବ ରହିତ କାର୍ଯ୍ୟକ୍ରମ। ଏହି ଅଭିଯାନ ଜରିଆରେ କେବଳ କିଛି ବୈଜ୍ଞାନିକ ଯନ୍ତ୍ରାବଳୀକୁ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ରୂପେ ସ୍ଥାନିତ କରାଯାଇପାରିଛି। ଏହି ଯନ୍ତ୍ରାବଳୀ ଚନ୍ଦ୍ରପୃଷ୍ଠରେ ରହି ଆପେ ଆପେ କାର୍ଯ୍ୟ କରିବେ ଏବଂ ସେଗୁଡ଼ିକୁ ପୃଥିବୀକୁ ଫେରାଇ ଆଣିବାର ଆବଶ୍ୟକତା ନାହିଁ। ଏହି ଉପଲବ୍ଧିଠାରୁ ଅଧିକ ଉଚ୍ଚକୋଟୀର ଉପଲବ୍ଧି ହେବ ଚନ୍ଦ୍ରକୁ ମନୁଷ୍ୟ ପ୍ରେରଣ କରି ପୃଥିବୀକୁ ନିରାପଦ ରୂପେ ଫେରାଇ ଆଣିବା କାର୍ଯ୍ୟକ୍ରମ। ଏହା କୌଣସି ମନୁଷ୍ୟ ବିହୀନ ଅଭିଯାନଠାରୁ ଯଥେଷ୍ଟ ଜଟିଳ ଓ କଠିନ ପ୍ରକ୍ରିୟା ଏବଂ ଏ ଦିଗରେ ପାଦେ ପାଦେ ବିପଦ ରହିଛି। ପ୍ରଥମତଃ ଚନ୍ଦ୍ରପୃଷ୍ଠରେ ସୁଚାରୁ ରୂପେ ଧୀର-ଅବତରଣ କରି ନ ପାରିଲେ ଯାନଟି ଚନ୍ଦ୍ରମାଟିରେ ପିଟି ହୋଇ ନଷ୍ଟ ହୋଇଯିବ ଏବଂ ଏଥିରେ ଥିବା ମନୁଷ୍ୟ ମହାକାଶଚାରୀମାନଙ୍କ ମୃତ୍ୟୁ ଘଟିବ। ଦ୍ୱିତୀୟତଃ ମହାକାଶଚାରୀମାନଙ୍କୁ ସୁରକ୍ଷିତ ରୂପେ ପୃଥିବୀ ଫେରାଇ ଆଣିବାକୁ ପଡ଼ିବ। ଏଥିନିମନ୍ତେ ଫେରନ୍ତା ପଥରେ ଯାନକୁ ପଥିବୀର ବାୟୁମଣ୍ଡଳ ମଧ୍ୟରେ ପୁନଃପ୍ରବେଶ କରିବାକୁ ପଡ଼ିବ। ଏହି ସମୟରେ ଯାନଟି ପୃଥିବୀର ମାଧ୍ୟାକର୍ଷଣ ବଳ ଦ୍ୱାରା ଆକର୍ଷିତ ହୋଇ ପ୍ରଚଣ୍ଡ ଗତିରେ ଛୁଟି ଯାଉଥିଲାବେଳେ ବାୟୁମଣ୍ଡଳର ଘର୍ଷଣ ହେତୁ ଯାନର ତାପମାତ୍ରା ବୃଦ୍ଧି ପାଇ ନିମିଷକ ମଧ୍ୟରେ ପ୍ରାୟ ୩୦୦୦ ଡିଗ୍ରୀ ସେଲସିୟସ୍ରେ ପହଞ୍ଚତ୍ଥାଏ, ଯେଉଁ ତାପମାତ୍ରାରେ ଲୁହା ସମେତ ଅଧିକାଂଶ ଧାତୁ ତରଳିଯିବ। ଏହି ପ୍ରଚଣ୍ଡ ତାପମାତ୍ରାକୁ ସହ୍ୟ କରିବା ନିମନ୍ତେ ଯାନର ବାହାରପଟେ ସ୍ବତନ୍ତ୍ର ତାପନିରୋଧକ ଟାଇଲମାନ ଖଞ୍ଜା ଯାଇଥାଏ, ଯାହା ଯାନ ସମେତ ଏଥିରେ ଥିବା ମହାକାଶଚାରୀମାନଙ୍କୁ ରକ୍ଷାକରେ। ଏହି ପ୍ରଚଣ୍ଡ ତାପମାତ୍ରାରୁ ଯାନ ତଥା ମହାକାଶଚାରୀମାନଙ୍କୁ ରକ୍ଷା କରିବା ବିଶ୍ୱର ଯେକୌଣସି ଅନ୍ତରୀକ୍ଷ ସଙ୍ଗଠନ ପାଇଁ ଏକ ବିରାଟ ପ୍ରଯୁକ୍ତିଗତ ଆହ୍ବାନ ଏବଂ ଏଥିନିମନ୍ତେ ଉଚ୍ଚକୋଟୀର ଜ୍ଞାନକୌଶଳ ପ୍ରୟୋଗର ଆବଶ୍ୟକତା ରହିଛି। ବାୟୁମଣ୍ଡଳରେ ପୁନଃପ୍ରବେଶର ଏହି ପ୍ରଯୁକ୍ତିଗତ ଜଟିଳତା ପାଇଁ ଅତୀତର ଅନେକ ଅଭିଯାନରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାନସ୍ଥିତ ମହାକାଶଚାରୀଙ୍କ ମୃତ୍ୟୁ ଘଟିଛି। ଏ ପ୍ରସଙ୍ଗରେ ୨୦୦୩ରେ ଆମେରିକୀୟ ଅନ୍ତରୀକ୍ଷ ସଙ୍ଗଠନ ନାସାର ଏକ ସଟଲ୍ ଯାନ ‘କଲମ୍ବିଆ’ର ପୃଥିବୀ ପ୍ରତ୍ୟାବର୍ତ୍ତନ ସମୟରେ ଦୁର୍ଘଟଣା କଥା ସ୍ମରଣ କରାଯାଇପାରେ, ଯେଉଁଥିରେ ଭାରତୀୟ ବଂଶୋଦ୍ଭବ ମହିଳା ମହାକାଶଚାରୀ କଳ୍ପନା ଚାୱଲାଙ୍କ ସମେତ ସମସ୍ତ ସାତଜଣ ଆରୋହୀଙ୍କ ଅନ୍ତରୀକ୍ଷରେ ଦାରୁଣ ମୃତ୍ୟୁ ଘଟିଥିଲା।
ସୁତରାଂ ଆମେ ଚନ୍ଦ୍ରୟାନ-୩ ସଫଳତାରେ ଆତ୍ମହରା ନ ହୋଇ ଚନ୍ଦ୍ରକୁ କିପରି ନିକଟ ଭବିଷ୍ୟତରେ ଭାରତୀୟ ମହକାଶଚାରୀ ଥିବା ଏକ ଯାନ ପଠାଇବା ଚିନ୍ତା କରିବା କଥା। ଏହା ପୂର୍ବରୁ ଚନ୍ଦ୍ରକୁ କେବଳ ଯୁକ୍ତରାଷ୍ଟ୍ର ଆମେରିକା ମନୁଷ୍ୟ ଥିବା ଯାନ ପ୍ରେରଣ କରିପାରିଛି। ରୁଷିଆ ପୂର୍ବରୁ ମହାକାଶକୁ ଅନେକ ମନୁଷ୍ୟ ଥିବା ଯାନ ପ୍ରେରଣ କରିଥିଲେ ସୁଦ୍ଧା ଚନ୍ଦ୍ରକୁ ଏପର୍ଯ୍ୟନ୍ତ ମନୁଷ୍ୟଯୁକ୍ତ ଯାନ ପ୍ରେରଣ କରି ନାହିଁ। ଏବେ ଚାଇନା ଆମ ସହିତ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରି ଅନ୍ତରୀକ୍ଷ ଅନ୍ବେଷଣ କ୍ଷେତ୍ରରେ ଆମଠାରୁ କେଇପାଦ ଆଗରେ ଅଛି। ଚାଇନା ୨୦୦୩ରେ ସେଂଝଉ-୫ ମହାକାଶଯାନ ଜରିଆରେ ବିଶ୍ୱର ତୃତୀୟ ରାଷ୍ଟ୍ର ରୂପେ ଅନ୍ତରୀକ୍ଷକୁ ମନୁଷ୍ୟ ପ୍ରେରଣ କରିସାରିଛି। ଆମର ମନୁଷ୍ୟ ଥିବା ମହତ୍ତ୍ୱାକାଂକ୍ଷୀ ‘ଗଗନଯାନ’ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟସୀମାଠାରୁ ବିଳମ୍ବରେ ଚାଲିଛି ଏବଂ ଆଗାମୀ ୨୦୨୪ ଶେଷ ବେଳକୁ ଏହି କାର୍ଯ୍ୟକ୍ରମର ଅଂଶସ୍ବରୂପ ଭାରତୀୟ ମହାକାଶଚାରୀ ମହାକାଶଯାତ୍ରା କରିବେ ବୋଲି ଆଶା କରାଯାଏ।
(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ
ମୋ : ୮୯୧୭୬୩୭୯୭୪