
ଥିରୁବନନ୍ତପୁରମ୍,୧୩।୪: ଯଦି ଜଣେ ବ୍ୟକ୍ତିର ମନୋବଳ ଦୃଢ଼ ଥାଏ, ତେବେ ପ୍ରତିକୂଳ ପରିସ୍ଥିତିକୁ ଆଡେଇ ସଫଳତାର ଶୀର୍ଷରେ ପହଞ୍ଚିଥାଏ। ପ୍ରତିକୂଳ ପରିସ୍ଥିତିରେ ପ୍ରାପ୍ତ ସଫଳତା ସମାଜ ଏବଂ ରାଜ୍ୟ ପାଇଁ ପ୍ରେରଣାର ବିଷୟ ପାଲଟିଥାଏ। କେରଳର ଗୋପିକା ଗୋବିନ୍ଦ ଏପରି ସଫଳତାର ଏକ ଉଦାହରଣ ସାଜିିଛନ୍ତି। ହେତୁ ପାଇବା ଦିନରୁ ଗୋପିକା ସ୍ବପ୍ନ ଦେଖିଥିଲେ। ସେହି ସ୍ବପ୍ନକୁ ସାକାର କରିବାରେ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେ କେରଳର ପ୍ରଥମ ଆଦିବାସୀ ଏୟାର ହୋଷ୍ଟେସ ପାଲଟିଛନ୍ତି।
ଗୋପିକା ଗୋବିନ୍ଦ କେରଳର ପ୍ରଥମ ଆଦିବାସୀ ଏୟାର ହୋଷ୍ଟେସ ହୋଇ ଇତିହାସ ରଚିଛନ୍ତି। ଏହା କେବଳ ତାଙ୍କର ସଫଳତା ନୁହେଁ ବରଂ କେରଳ ପାଇଁ ଗର୍ବର ବିଷୟ। ଗୋପିକା କେରଳର ଆଲାକୋଡ ନିକଟସ୍ଥ କାଭୁଙ୍କୁଡିର ଏସ୍ଟି କଲୋନୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାମାତା ହେଉଛନ୍ତି ପି. ଗୋବିନ୍ଦନ ଏବଂ ଭି.ଜି. ଯିଏ ଦିନ ମଜୁରିଆ ଭାବରେ କାମ କରୁଥିଲେ। ଗୋପିକା ହେଉଛନ୍ତି କରିମ୍ବା ଆଦିବାସୀ ସମ୍ପ୍ରଦାୟର ଜଣେ ଯୁବତୀ।
ଗୋପିକାଙ୍କ ପିଲାଦିନ ଆର୍ଥିକ ଅସୁବିଧା ଏବଂ ସୀମିତ ସମ୍ବଳରେ ବିତିଛି। ତଥାପି ସେ କେବେବି ତାଙ୍କ ସ୍ବପ୍ନକୁ ଛାଡି ନ ଥିଲେ ଏବଂ ଏହାକୁ ହାସଲ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ସେ ରସାୟନ ବିଜ୍ଞାନରେ ବିଏସ୍ସି. କରିଥିଲେ। ପରିବାରର ଆର୍ଥିକ ଅବସ୍ଥା ଯୋଗୁ ଏକ ସମୟ ଆସିଥିଲା ଯେତେବେଳେ ସେ ତାଙ୍କ ସ୍ବପ୍ନକୁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦିନେ ଖବରକାଗଜରେ ଏୟାର ହୋଷ୍ଟେସ ୟୁନିଫର୍ମ ପିନ୍ଧିଥିବା ଜଣେ କ୍ୟାବିନ କ୍ରୁ ସଦସ୍ୟଙ୍କ ଫଟୋ ଦେଖିବା ପରେ, ତାଙ୍କ ସ୍ବପ୍ନ ପୁନର୍ଜୀବିତ ହୋଇଥିଲା। ଏହା ପରେ ଗୋପିକା ଜଣେ ଏୟାର ହୋଷ୍ଟେସ ହେବାକୁ ନିଷ୍ପତ୍ତି ନେଲେ।
ଗୋପିକା ୱାୟାନାଡର କାଲପେଟାରେ ଥିବା ଡ୍ରିମ ସ୍କାଏ ଆଭିଏସନ ଟ୍ରେନିଂ ଏକାଡେମୀରେ ଏକ ବର୍ଷିଆ ଡିପ୍ଲୋମା କୋର୍ସ ପାଇଁ ନାମ ଲେଖାଇଥିଲେ। ପ୍ରଥମ ପ୍ରୟାସରେ ଗୋପିକା ମନୋନୀତ ହୋଇପାରିଲେ ନାହିଁ, କିନ୍ତୁ ଗୋପିକା ଆଶା ହରାଇ ନଥିଲେ। ଦ୍ୱିତୀୟ ପ୍ରୟାସରେ ସେ ସଫଳତା ପାଇଲେ। ତିନି ମାସର ତାଲିମ ପରେ ଗୋପିକା କନ୍ନୁରରୁ ଉପସାଗରୀୟ ଦେଶକୁ ତାଙ୍କର ପ୍ରଥମ ବିମାନ ଯାତ୍ରା କରିଥିଲେ।
ଗୋପିକାଙ୍କ ସଫଳତା ଦର୍ଶାଉଛି ଯେ ଦୃଢ଼ ଇଚ୍ଛାଶକ୍ତି ସହିତ ଯେକୌଣସି ସ୍ବପ୍ନକୁ ପୂରଣ କରିବା ସମ୍ଭବ। ଆଜି ଗୋପିକା ଆଦିବାସୀ ଏବଂ ପଛୁଆ ସମ୍ପ୍ରଦାୟର ଯୁବତୀମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।