Categories: ଜାତୀୟ

ଆସାମ ପୋଲିସକୁ ସଫଳତା, ଅଲକାଇଦା-ଏବିଟିର ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…

ଗୁଆହାଟୀ, ୨୧।୮ : ଆସାମ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ବିଳମ୍ବିତ ରାତିରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ଅଲକାଇଦା ଇଣ୍ଡିଆନ ସବକଣ୍ଟିନେଣ୍ଟ (ଏକ୍ୟୁଆଇଏସ) ଏବଂ ଅନସରୁଲ୍ଲା ବାଂଲା ଟିମ୍‌ (ଏବିଟି) ଆତଙ୍କବାଦୀ ସଂଗଠନ ସହିତ ଏହି ଦୁଇ ସନ୍ଦିଗ୍ଧଙ୍କର ଲିଙ୍କ ଥିବା ପ୍ରମାଣ ମିଳିଛି। ଉଭୟଙ୍କୁ ଆସାମର ଗୋଲପାରା ଜିଲାରୁ ଗିରଫ କରାଯାଇଥିବା ପୋଲିସ କହିଛି। ସେମାନଙ୍କୁ ପଚରାଉଚରା ଜାରି ରହିଛି।

ଏହାପୂର୍ବରୁ ଆସାମରୁ ତିନିଜଣ ସନ୍ଦିଗ୍ଧ ଜିହାଦୀଙ୍କୁ ଗିରଫ କରାଯାଇଥିଲା। ପୋଲିସ ସେମାନଙ୍କୁ ପଚରାଉଚରା ଜାରି ରଖିଛି। କୁହାଯାଉଛି ଯେ ଅପରେଶନ ସମୟରେ ପୋଲିସ ସେମାନଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଅବଦୁଲ ଶୋଭନ ଅଲି ଏବଂ ଜଲାଲ ଉଦ୍ଦିନ ଭାବେ ଚିହ୍ନଟ କରାଯାଇଛି। ଅବଦୁଲ ଶୋଭନ ଅଲି ଆୟେଶା ସିଦ୍ଦିକା ମର୍ଦାସାର ଇମାମ ବୋଲି କୁହାଯାଉଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁଇଜଣଙ୍କ ବ୍ୟତୀତ ଶୋଭନ ଅଲିଙ୍କ ବଡ ଭାଇ ଏବଂ ପୁତୁରାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ବର୍ତ୍ତମାନ ପୋଲିସ ସେମାନଙ୍କ ଭୂମିକା ଏବଂ କୌଣସି ଜିହାଦୀ ଗୋଷ୍ଠୀ ସହ ସେମାନେ ଜଡିତ କି ନାହିଁ ତାହା ତଦନ୍ତ କରୁଛି।

ସୂଚନାଯୋଗ୍ୟ, ରାଜ୍ୟରେ କାର୍ଯ୍ୟ କରୁଥିବା ଏକ ସନ୍ଦେହଜନକ ଜିହାଦୀ ଆତଙ୍କବାଦୀ ମଡ୍ୟୁଲ ପର୍ଦ୍ଦାଫାଶ୍‌ କରିବା ପାଇଁ ଆସାମ ପୋଲିସ କେନ୍ଦ୍ରୀୟ ଏଜେନ୍ସି ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛି।

Share