
ନୂଆଦିଲ୍ଲୀ, ୧୨।୨ : ଚୋରା ଡଗ୍ସ୍ କାରବାର ରୋକିବାରେ ଭାରତୀୟ ନୌସେନାକୁ ବଡ଼ ଧରଣର ସଫଳତା ମିଳିଛି। ଆରବ ସାଗରରେ ପାକିସ୍ତାନ ବାଟେ ଆସୁଥିବା ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି। ଏହା ମୁମ୍ବାଇ ଅବା ଗୁଜରାଟକୁ ଯାଇଥାନ୍ତା ବୋଲି ନାର୍କୋଟିକ୍ସ୍ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଦୁଇଟି ବଡ଼ ଡଙ୍ଗାରେ ଆସୁଥିବା ଡ୍ରଗ୍ସ୍କୁ ଜବତ କରାଯାଇଛି। ଭାରତୀୟ ନୌସେନାର ସହଯୋଗରେ ଏହି ସଫଳତା ମିଳିଥିବା ଉପ ମହାନିର୍ଦ୍ଦେଶକ(ଡିଡିଜି) ସଞ୍ଜୟ କୁମାର ସିଂ କହିଛନ୍ତି।
ଭାରତୀୟ ସାମୁଦ୍ରିକ ସୀମାର ଏକ୍ଲୁସିଭ୍ ଇକୋନୋମିକ୍ ଜୋନ୍(ଇଇଜେଡ୍) ବାହାରେ ଡଙ୍ଗା ୨ଟି ଉପକୂଳ ମୁହାଁ ହୋଇଥିଲା। ଧରାପଡ଼ିବା ଭୟରେ ଡଙ୍ଗାରେ ଥିବା ଲୋକେ ଅନ୍ୟ ଏକ ଡଙ୍ଗାରେ ପଳାଇ ଯାଇଥିଲେ।
ଡଙ୍ଗାରୁ ୫୨୫ କିଲୋଗ୍ରାମ୍ ହାସିସ୍ ଏବଂ ୨୩୪ କିଲୋଗ୍ରାମ୍ କିଷ୍ଟଲ ମେଥମ୍ଫେଟାମାଇନ୍ ଜବତ ହୋଇଛି।
ଏନ୍ସିବି ମହାନିର୍ଦ୍ଦେଶକ ଏସ୍.ଏନ୍. ପ୍ରଧାନଙ୍କ ଅନୁସାରେ ପ୍ରଥମ ଥର ପାଇଁ ଏତେ ପରିମାଣର ଡ୍ରଗ୍ସ୍ ଜବତ ହୋଇଛି। ଜବତ ହୋଇଥିବା ଡଙ୍ଗାରେ ଉର୍ଦ୍ଦୁରେ ଲେଖା ହୋଇଥିବା ସେ ସୂଚନା ଦେଇଛନ୍ତି।