ସଫଳ ଛେଳିଚାଷୀ ପରମାନନ୍ଦ

ଦେବଗଡ଼,୨।୬(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ବ୍ଲକ ପଳସମା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଶଖଳିଆ ଗ୍ରାମର ପରମାନନ୍ଦ ବେହେରା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଜୀବନସାରା କୃଷି ବିଭାଗରେ ଗ୍ରାମ ସେବକ ହିସାବରେ କାର୍ଯ୍ୟ କରିଛନ୍ତି। ଚାଷୀ କେମିତି ନିଜ ଉତ୍ପାଦନକୁ ଅତି କମ୍‌ ଦରରେ ବିକି ସର୍ବସ୍ବାନ୍ତ ହୁଏ, ଅଙ୍ଗେ ନିଭେଇଛନ୍ତି। ତେଣୁ ସେ ଏମିତି ଚାଷ କଲେ ଯାହା ପାଇଁ ବଜାର ଆବଶ୍ୟକ ନାହିଁ। ଦର କମ ହେବାର ନାହିଁ। ଏହି ଚାଷ ହେଉଛି ଛେଳି ପାଳନ। ସେ ଏତେ ଛେଳି ପାଳିଛନ୍ତି ଯେଉଁଥିପାଇଁ ଅଞ୍ଚଳରେ ସଫଳ ଛେଳିଚାଷୀ ଭାବେ ଜଣାଶୁଣା ହୋଇପାରିଛନ୍ତି।
ସରକାର ସିନା ଷାଠିଏ ବର୍ଷରେ ତାଙ୍କୁ କାର୍ଯ୍ୟରୁ ଅବସର ଦେଇଦେଲେ। କିନ୍ତୁ ଶରୀର ଓ ମନରେ ତାଙ୍କର ଭରି ରହିଥିଲା ଅଦମ୍ୟ ଶକ୍ତି ଓ ସାହସ । ତାଙ୍କ ଗାଁର ଯୁବଚାଷୀ ବାହାର ରାଜ୍ୟକୁ ଯାଇ ଦାଦନ ଖଟିବ, ମନକୁ କଷ୍ଟ ଦେଉଥିଲା। ପାରମ୍ପରିକ ଚାଷକୁ ବଜାରର ଅସ୍ତିରତା। ଆଗରୁ ପରିଚିତ ଥିବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କ ସହ ଯୋଗାଯୋଗ କରିଥିଲେ। ବିକ୍ରିବଟାରେ ଅସୁବିଧା ହେଉ ନ ଥିବା କିଛି ଚାଷ ଉପରେ ବାଟ ଦେଖାଇବାକୁ ଅନୁରୋଧ କରିଥିଲେ। କେନ୍ଦ୍ରର ବୈଜ୍ଞାନିକମାନେ ଜିଲାର ସବୁବର୍ଗର ଲୋକମାନଙ୍କର ପାରମ୍ପରିକ ଜୀବିକା ଛେଳି ଚାଷକୁ ବ୍ୟବସାୟିକ ଭିତ୍ତିିରେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।
ଛେଳି ଚାଷ ପାଇଁ ମଡେଲ ଗୃହ, ପୁଷ୍ଟିଯୁକ୍ତ ଖାଦ୍ୟ ଉପରେ ସମ୍ୟକ ଧାରଣା ଦେଲେ। ପଶୁ ପାଳନ ବିଭାଗର କର୍ମଚାରୀଙ୍କ ସହାୟତାରେ କୃଷିବିଜ୍ଞାନ କେନ୍ଦ୍ର ତରଫରୁ ଗାଁରେ ଛେଳିମାନଙ୍କ ପାଇଁ ସ୍ବାସ୍ଥ୍ୟଶିବିର ଆୟୋଜନ କରାଗଲା। ସ୍ଥାନୀୟ ପଶୁ ଚିକିତ୍ସକ ଟିକାକରଣ, କୃମିଦମନ ଉପରେ ପ୍ରଶିକ୍ଷଣ ଦେଇଥିଲେ। କେନ୍ଦ୍ର ତରଫରୁ ସିମାରୁବା, ସଜନା ଆଦି ପୁଷ୍ଟିଯୁକ୍ତ ଗଛ ଯୋଗାଇ ଦିଆଗଲା । ଗତ ତିନି ବର୍ଷ ମଧ୍ୟରେ ଛେଳିଚାଷକୁ ବ୍ୟବସାୟିକ ରଙ୍ଗ ଦେଇଛନ୍ତି ପରମାନନ୍ଦ। ଏବେ ତାଙ୍କ ପାଖରେ ଶତାଧିକ ଛେଳି ଅଛନ୍ତି। ସାଢେ ତିନିଲକ୍ଷ ଟଙ୍କା ସେ ରୋଜଗାର କରି ବର୍ତ୍ତମାନ ଏ ଅଞ୍ଚଳର ସେ ଜଣାଶୁଣା ଛେଳିଚାଷୀ। ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି, ଛେଳି ପାଳିବ ତ, ବ୍ୟବସାୟୀକ ଭିତ୍ତିରେ ଛେଳି ପାଳନ କର । ଏଥିରେ ନା ଥାଏ ବଜାର ପାଇବାର ଡର ନା କମ ଦରର ଡର। କେବଳ ଉପଯୁକ୍ତ ସମୟରେ ଟିକାକରଣ, ଖାଦ୍ୟ ପରିଚାଳନା ଓ ଟିକିଏ ଯତ୍ନର ଆବଶ୍ୟକତା ରହିଛି। ଆଖପାଖ ଗାଁ ଲୋକେ ପରମାନନ୍ଦଙ୍କ ସଫଳତା ଦେଖି ନିଜ ଛେଳି ସଂଖ୍ୟା ବଢେଇଲେଣି। ଏ ଅଞ୍ଚଳରକୁ ରେଙ୍ଗାଳି, ତାଳଚେର, ଅନୁଗୋଳରୁ ବ୍ୟବସାୟୀ ଆସି ଛେଳି କିଣି ନେଉଛନ୍ତି। କୌଣସି ସରକାରୀ ଅନୁଦାନ ବିନା ଯେ ଜଣେ ଯୁବକ ଛେଳି ଚାଷ ମାଧ୍ୟମରେ ସ୍ବାବଲମ୍ବୀ ହୋଇପାରିବ ପରାମାନନ୍ଦ ତାର ଉଦାହରଣ। ଚଳିତ ବର୍ଷ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଛି।
ଉପସ୍ଥାପନା: ଶଶାଙ୍କ ଶେଖର ଝାଙ୍କର