‘ସଫଳ ବ୍ୟକ୍ତି ଆଧ୍ୟାତ୍ମିକତାରେ ସୁଖ, ଶାନ୍ତି ଖୋଜନ୍ତି’

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ଆମ ନିକଟରେ ଯେତେ ଧନ ସମ୍ପତ୍ତି, କ୍ଷମତା ଓ ପ୍ରତିପତ୍ତି ଥିଲେ ମଧ୍ୟ ଏସବୁ ଆମକୁ ପ୍ରକୃତ ଶାନ୍ତି ଦେଇ ନ ଥାଏ। ଶ୍ରଦ୍ଧା, ଏକାଗ୍ରତା ଓ ସେବା ପ୍ରକୃତ ଶାନ୍ତି ପ୍ରଦାନ କରିଥାଏ ବୋଲି ନ୍ୟୁୟର୍କସ୍ଥିତ ବେଦାନ୍ତ ସୋସାଇଟିର ମୁଖ୍ୟ ତଥା ଅଧ୍ୟାତ୍ମ ଗୁରୁ ସ୍ବାମୀ ସର୍ବପ୍ରିୟାନନ୍ଦ ପ୍ରକାଶ କରିଛନ୍ତି। କିଟ୍‌ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ କିଟ୍‌ ନଲେଜ ଟ୍ରି ବକ୍ତୃତାମାଳାରେ ଅଭିଭାଷଣ ଦେଇ ସେ କହିଲେ, ଆମକୁ ଯେତେ ସଫଳତା ମିଳିଲେ ମଧ୍ୟ ଆଧ୍ୟାତ୍ମିକତାବାଦ ବ୍ୟତିରେକେ ଶାନ୍ତି ମିଳି ନ ଥାଏ। ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତିତ୍ୱମାନେ ଆଧ୍ୟାତ୍ମିକତା ମଧ୍ୟରେ ସୁଖ ଓ ଶାନ୍ତି ଖୋଜିଥାନ୍ତି। ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଭଳି ଭାରତରେ ମଧ୍ୟ ଏହି ଧାରାରେ ଦ୍ରୁତ ପରିବର୍ତ୍ତନ ହୋଇଚାଲିଛି। ଯୁବଗୋଷ୍ଠୀ ବିଶେଷ କରି ଛାତ୍ରୀଛାତ୍ରମାନେ ହେଉଛନ୍ତି ଏହି ପରିବର୍ତ୍ତନର ଅଗ୍ରଦୂତ ବୋଲି ସେ କହିଥିଲେ।
ସକାଳେ କିଟ୍‌ ଓ କିସ୍‌ କ୍ୟାମ୍ପସ୍‌ ବୁଲି ଦେଖିବା ପରେ ସ୍ବାମୀ ସର୍ବପ୍ରିୟାନନ୍ଦ କହିଲେ, ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ କୁହାଯାଉଥିବା ହାର୍ଭାର୍ଡଠାରୁ କିଟ୍‌ ଓ କିସ୍‌ କୌଣସି ଗୁଣରେ କମ୍‌ ନୁହେଁ। ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେବା ସହ ସ୍ବାମୀ ବିବେକାନନ୍ଦଙ୍କ ବାଣୀ ଉଦ୍ଧୃତ କରି ସେ କହିଲେ, ଆମେମାନେ ଆମ ଜୀବନର ପୂର୍ଣ୍ଣ ସଫଳତା ପାଇବାକୁ ହେଲେ ଆମକୁ ବିବେକାନନ୍ଦଙ୍କ ଆତ୍ମବିଶ୍ୱାସ, ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେବା ଏବଂ ନିଃସ୍ବାର୍ଥପରତା ଆଦି ତିନୋଟି ମନ୍ତ୍ର ଆପଣାଇବାକୁ ପଡ଼ିବ। ପ୍ରଥମେ ଆମକୁ ନିଜ ଉପରେ ବିଶ୍ୱାସ ରଖିବାକୁ ହେବ। ଜୀବନରେ ସଫଳତା ପାଇଁ ଆତ୍ମବିଶ୍ୱାସ ଓ ଆତ୍ମସମ୍ମାନ ହେଉଛି ସବୁଠାରୁ ବଡ଼ ସମ୍ବଳ। ଆମକୁ ଆମର ଅନ୍ତର୍ନିହିତ କ୍ଷମତାର ପୂର୍ଣ୍ଣ ବିନିଯୋଗ କରିବାକୁ ହେବ। ଏହି ଅବସରରେ ସେ ଆତ୍ମବିଶ୍ୱାସ, ନିଜ ଭୁଲକୁ ବୁଝି ସେଥିରେ ସୁଧାର ଆଣିବା, ଆତ୍ମକର୍ତ୍ତବ୍ୟବୋଧ, ଦୃଢ଼ତା, ଲକ୍ଷ୍ୟଯୁକ୍ତ ଜୀବନ ଓ ସତ୍ୟନିଷ୍ଠା ଆଦି ସଫଳତା ଓ ଶାନ୍ତିର ୭ ସୂତ୍ରୀ ମନ୍ତ୍ର ପ୍ରଦାନ କରିଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଛାତ୍ରୀଛାତ୍ର ସ୍ବାମୀ ସର୍ବପ୍ରିୟାନନ୍ଦଙ୍କ ପରାମର୍ଶକୁ ଅନୁସରଣ କଲେ ସଫଳତା ନିଶ୍ଚିତ ପାଇବେ ବୋଲି କହିଥିଲେ।

Share