ଛୋଟ ପରଦାରୁ ସଫଳ ରାଜନୈତିକ ଯାତ୍ରା…

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ସ୍ମୃତି ଇରାନୀଙ୍କୁ ମଙ୍ଗଳବାର ୪୫ ବର୍ଷ ପୂରଣ ହୋଇଛି। ସେ ୧୯୭୬ ମାର୍ଚ୍ଚ ୨୩ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ମ୍ୟାକ ଡୋନାଲ୍ଡ କମ୍ପାନୀରେ କାମ କରୁଥିବା ସମୟରେ ସ୍ମୃତି ଟେଲିଭିଜନରେ ବିଭିନ୍ନ ଧାରାବାହିକରେ ଅଭିନୟ ମାଧ୍ୟମ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିପାରିଥିଲେ। ୧୯୯୮ରେ ସେ ମିସ ଇଣ୍ଡିଆ ପିଜାଣ୍ଟ ଫାଇନାଲ୍‌ରେ ସ୍ଥାନ ଅଧିକାର କରିଥିଲେ। ସେହିବର୍ଷ ସେ ମିକା ସିଂଙ୍କ ଆଲବମ ‘ସାବନ ମେ ଲଗ ଗୟି ଆଗ’ରେ ଅଭିନୟ କରିଥିଲେ। ୨୦୦୦ରେ ସେ ଟିଭି ଧାରାବାହିକ ‘ଆତିଶ’ ଏବଂ ‘ହମ ହୈ କଲ ଆଜ ଔର କଲ’ରେ ଅଭିନୟ କରିଥିଲେ। ତେବେ ଏକତା କପୁରଙ୍କ ‘କ୍ୟୁଁ କି ଶାଶ୍‌ ଭି କଭି ବୋହୂ ଥି’ ଧାରାବାହିକର ଅଭିନୟ ସ୍ମୃତିଙ୍କ ପାଇଁ ବେଶ୍‌ ପରିଚିତି ଆଣିଦେଇଥିଲା। ସ୍ମୃତି ‘ଅଲ ଇଜ ଓ୍ବେଲ’, ‘ଜୟ ବୋଲୋ ତେଲେଙ୍ଗାନା’, ‘ମାଲିକ ଏକ’, ଅମ୍ରିତା ଆଦି ଫିଲ୍ମରେ ଅଭିନୟ କରି ପ୍ରଶଂସା ସାଉଁଟି ପାରିଛନ୍ତି। ୨୦୦୧ରେ ସେ ଜୁବିନ ଇରାନୀଙ୍କୁ ବିବାହ କରିଥିଲେ। ୨୦୦୩ରେ ସ୍ମୃତି ଭାଜପାରେ ଯୋଗଦେଇଥିଲେ। ଏହାପରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ୨୦୧୯ ଲୋକସଭା ନିର୍ବାଚନରେ ସେ କଂଗ୍ରେସର ଗଡ଼ ବୋଲାଉଥିବା ଆମେଠି ଆସନରେ ରାହୁଲ ଗାନ୍ଧୀଙ୍କୁ ପରାଜିତ କରିଥିଲେ। ୨୦୧୯ ମେ ୩୦ରେ ମୋଦି କ୍ୟାବିନେଟର ସର୍ବକନିଷ୍ଠ ମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ।

Share