ଏସ୍‌ଏଫ୍‌ଡିଆର୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୬।୩: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ପକ୍ଷରୁ ସଲିଡ୍‌ ଫୁଏଲ୍‌ ଡକ୍ଟେଡ୍‌ ରାମଜେଟ୍‌ (ଏସ୍‌ଏଫ୍‌ଡିଆର୍‌)ର ଶୁକ୍ରବାର ସଫଳ ପରୀକ୍ଷଣ କରାଯାଇଛି। ଏଥିରେ ସବସିଷ୍ଟମ୍‌, ବୁଷ୍ଟର ମୋଟର, ନୋଜଲ-ଲେସ୍‌ ମୋଟର କାର୍ଯ୍ୟ କରିଛି। ପୂର୍ବରୁ ୨୦୧୯ରେ ଏହାର ପରୀକ୍ଷଣ ହୋଇଥିଲା। କଠିନ ଇନ୍ଧନ ଆଧାରିତ ଡକ୍ଟେଡ୍‌ ରାମଜେଟ୍‌ର ସଫଳ ପ୍ରଦର୍ଶନ ଡିଆର୍‌ଡିଓକୁ ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ନେଇଛି। ଦୂରଗାମୀ ଏୟାର-ଟୁ-ଏୟାର ମିଶାଇଲ୍‌ ବିକଶିତ କରିବା କ୍ଷେତ୍ରରେ ଏହା ସାହାଯ୍ୟ କରିବ। ପରୀକ୍ଷଣ ସମୟରେ ମିଶାଇଲରେ ବୁଷ୍ଟର ମୋଟର ବ୍ୟବହାର କରାଯାଇଥିଲା। ସେହିଭଳି ନୋଜଲ-ଲେସ୍‌ ବୁଷ୍ଟର୍‌ରେ ରାମଜେଟ୍‌ ପରୀକ୍ଷଣ ନମ୍ବର ମ୍ୟାଚ୍‌ କରାଯାଇଥିଲା। ଏହାର କାର୍ଯ୍ୟଦକ୍ଷତା ତଥ୍ୟ ଆଇଟିଆର୍‌ର ଇଲେକ୍ଟ୍ରୋ ଅପଟିକାଲ, ରାଡାର ଏବଂ ଟେଲିମେଟ୍ରି ଦ୍ୱାରା ମନିଟର କରାଯାଇଥିଲା। ପରୀକ୍ଷଣକୁ ଡିଆର୍‌ଡିଓର ବରିଷ୍ଠ ବୈଜ୍ଞାନିକ, ଡିଆର୍‌ଡିଏଲ୍‌, ଆର୍‌ସିଆଇ ଏବଂ ଏଚ୍‌ଇଏମ୍‌ଆର୍‌ଏଲ୍‌ଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଡିଆର୍‌ଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ଡିଆର୍‌ଡିଓର ବୈଜ୍ଞାନିକ ଏବଂ ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି।

Share