କ୍ୟୁଆର-ଏସ୍‌ଏଏମ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୯।୯:ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର୍‌ରୁ ଗୁରୁବାର ପୂର୍ବାହ୍ନରେ କ୍ୟୁଆର୍‌-ଏସ୍‌ଏଏମ୍‌(କ୍ୱିକ୍‌ ରିଆକ୍ସନ୍‌-ସର୍ଫେସ୍‌ ଟୁ ଏୟାର ମିଶାଇଲ୍‌) କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଭାରତୀୟ ସେନା ଦ୍ୱାରା ମୂଲ୍ୟାଙ୍କନ ପରୀକ୍ଷଣର ଏକ ଅଂଶ ଭାବରେ ଏହି ବିମାନ ପରୀକ୍ଷା କରାଯାଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି ।
ବିଭିନ୍ନ ପରିସ୍ଥିତିରେ ଅସ୍ତ୍ରଶସ୍ତ୍ରର ମାରକ କ୍ଷମତାକୁ ଆକଳନ କରିବା ପାଇଁ ଆକାଶରେ ଆସୁଥିବା ଟାର୍ଗେଟ୍‌(ଆସନ୍ନ ବିପଦ) ବିରୋଧରେ ଏହି ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଦୂରଗାମୀ ଟାର୍ଗେଟ୍‌କୁ ବିଭିନ୍ନ ଭାବେ ପରିଚାଳନା ପରେ କମ୍‌ ଉଚ୍ଚତାରେ ରାଡାର ଦ୍ୱାରା ଠାବ କରିବା ସହିତ ଲକ୍ଷ୍ୟଭେଦ କରାଯାଇଥିଲା। ଏଥିପାଇଁ ଦୁଇଟି କ୍ଷେପଣାସ୍ତ୍ରକୁ କ୍ରମାଗତ ଭାବରେ ଛଡ଼ାଯାଇଥିଲା। ଉଭୟ ଦିନ ଓ ରାତିରେ ଏହାର କାର୍ଯ୍ୟଦକ୍ଷତାକୁ ମଧ୍ୟ ମୂଲ୍ୟାଙ୍କନ କରାଯାଇଥିଲା। ଏହି ଉତ୍‌କ୍ଷେପଣ ସମୟରେ ଡିଆରଡିଓ ଏବଂ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ‘କ୍ୟୁଆର-ଏସଏଏମ୍‌’ ଅସ୍ତ୍ର ପ୍ରଣାଳୀର ସ୍ବାତନ୍ତ୍ର୍ୟ ହେଉଛି ଏହା ସର୍ଚ୍ଚ, ଟ୍ରାକ୍‌ ସାମର୍ଥ୍ୟ ଏବଂ ଅଳ୍ପ ସମୟରେ ଉତ୍‌କ୍ଷେପଣ କରିପାରିବ। ପୂର୍ବରୁ କରାଯାଇଥିବା ପରୀକ୍ଷାରୁଏହା ପ୍ରମାଣିତ ହୋଇଛି।
ଉକ୍ତ ଅସ୍ତ୍ର ପ୍ରଣାଳୀର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଏବଂ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି। ସଶସ୍ତ୍ର ବାହିନୀ ପାଇଁ ‘କ୍ୟୁଆର-ଏସଏଏମ୍‌’ ଏକ ଉତ୍କୃଷ୍ଟ ତଥା ଶକ୍ତିସମ୍ପନ୍ନ ବୋଲି ସେ ଅଭିହିତ କରିଛନ୍ତି। ପ୍ରତିରକ୍ଷା ବିଭାଗ ଆର ଆଣ୍ଡ ଡି ସଚିବ ଏବଂ ଡିଆରଡିଓ ଅଧ୍ୟକ୍ଷ ସଫଳ ପରୀକ୍ଷଣ ସହିତ ଜଡ଼ିତ ଟିମ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ସେନାରେ ସାମିଲ ପାଇଁ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି।

Share