Categories: ଖେଳ

ଗୋଲ୍ଡେନ୍‌ ବଲ୍‌ ନିଲାମି ରୋକିବାକୁ ଉତ୍ତରାଧିକାରୀଙ୍କ ପ୍ରୟାସ

ପ୍ୟାରିସ୍‌,୧୫ା୫(ପି.ଟି): ଆର୍ଜେଣ୍ଟିନାର ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ ଚୋରି ହୋଇଥିବା ଗୋଲ୍ଡେନ୍‌ ବଲ୍‌ର ନିଲାମକୁ ରୋକିବା ପାଇଁ ପ୍ରୟାସ କରିଛନ୍ତି ତାଙ୍କ ଉତ୍ତରାଧିକାରୀ। ୧୯୮୬ରେ ଆର୍ଜେଣ୍ଟିନା ବିଶ୍ୱକପ ଜିତିଥିବା ବେଳେ ମାରାଡୋନାଙ୍କୁ ଗୋଲ୍ଡେନ ବଲ୍‌ ପ୍ରଦାନ କରାଯାଇଥିଲା। ଚୋରି ହୋଇ ଯାଇଥିବା ଏହି ବଲ୍‌ଟିର ନିଲାମୀ ପ୍ୟାରିସ୍‌ରେ ହେବ ବୋଲି ଖବର ପ୍ରକାଶ ପାଇଥିଲା। ଏହାକୁ ମାରାଡୋନାଙ୍କ ଉତ୍ତରାଧିକାରୀ ବିରୋଧ କରିବା ସହ ଏକ ମାମଲା ଦାଏର କରିବେ ବୋଲି କହିଛନ୍ତି। ବିଗତ ଏକ ଦଶନ୍ଧି ହେବ ମାରାଡୋନାଙ୍କ ଗୋଲ୍ଡେନ ବଲ୍‌ ଚୋରି ହୋଇଯାଇଛି। ଆଗୁଟେସ୍‌ ଅକ୍ସନ୍‌ ହାଉସ୍‌ ଏ ନେଇ ମାମଲା ରୁଜୁ କରିବ ବୋଲି ଖବର ପ୍ରକାଶ ପାଇଥିଲା। ତେବେ ଏହା ଚୋରି ହୋଇଥିବାରୁ ବର୍ତ୍ତମାନ ଏହାକୁ ରଖିଥିବା ବ୍ୟକ୍ତି ଏହାକୁ ନିଲାମ କରିପାରିବେ ନାହିଁ ବୋଲି ମାରାଡୋନାଙ୍କ ପରିବାର ବର୍ଗ କହିଛନ୍ତି। ପାରାଡକ୍ସ ଲ’ ଫାର୍ମରେ କାମ କରୁଥିବା ଗିଲ୍‌ସ ମୋରେଉ ଏହି ମାମଲାରେ ମାରାଡୋନାଙ୍କ ଦୁଇ ଝିଅଙ୍କ ପକ୍ଷ ରଖିଛନ୍ତି। ଗୋଲ୍ଡେନ୍‌ ବଲ୍‌କୁ ନିଲାମିରୁ ଦୂରେଇ ରଖିବା ପାଇଁ ଏକ ଆବେଦନ କରାଯାଇଥିବା ଗିଲ୍‌ସ ସୂଚନା ଦେଇଛନ୍ତି। ୧୯୮୬ରେ ଲିଡୋ କାର୍ବେଟରେ ଏକ ପୁରସ୍କାର ପ୍ରଦାନ ଉତ୍ସବରେ ମାରାଡୋନାଙ୍କୁ ଗୋଲ୍ଡେନ୍‌ ବଲ୍‌ ପ୍ରଦାନ କରାଯାଇଥିଲା। ତେବେ ଏହି ଟ୍ରଫି କିଭଳି ଅନ୍ତର୍ଦ୍ଧାନ ହେଲା ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୋକର୍‌ ଗେମ୍‌ରେ ମାରାଡୋନା ଟ୍ରଫିକୁ ନେଇ ଜୁଆ ଖେଳି ଏହାକୁ ହରାଇଥିବାର ରିପୋର୍ଟ ସାମ୍ନାକୁ ଆସିଥାଏ। କରଜ ଶୁଝିବା ପାଇଁ ସେ ଏହାକୁ ବିକ୍ରି କରିଥିବା ମଧ୍ୟ ଖବର ଆସିଥାଏ। ଅନ୍ୟ ଏକ ରିପୋର୍ଟ ଅନୁସାରେ ମାରାଡୋନା ଇଟାଲିଆନ୍‌ ଲିଗ୍‌ ଖେଳୁଥିବା ବେଳେ ନାପେଲ୍ସର ଏକ ବ୍ୟାଙ୍କର ସେଫ୍‌ରେ ଟ୍ରଫି ରଖିଥିଲେ। ୧୯୮୯ରେ ବ୍ୟାଙ୍କ ଲୁଟ ସମୟରେ ଟ୍ରଫି ଚୋରି ହୋଇଥିବା ନେଇ ମଧ୍ୟ ରିପୋର୍ଟ ସାମ୍ନାକୁ ଆସିଥାଏ।
ତେବେ ଆଗୁଟେସ୍‌ ଅକ୍ସନ୍‌ ହାଉସ୍‌ ପକ୍ଷରୁ କରାଯାଇଥିବା ଦାବି ଅନୁସାରେ ଟ୍ରଫିର ପୂର୍ବତନ ମାଲିକଙ୍କ ପାଖରେ ଏହା ଚୋରି ହୋଇଥିବାର କୌଣସି ସୂଚନା ନ ଥିଲା। ତେଣୁ ଏହି ଟ୍ରଫି ବିକ୍ରି ହେଲେ ଏଥିରୁ କୋଟି କୋଟି ଟଙ୍କାର ଲାଭ ମିଳିବ ବୋଲି ଆଗୁଟେସ୍‌ ଅକ୍ସନ୍‌ ହାଉସ୍‌ କହିଛି। ଜୁନ୍‌ ୬ ତାରିଖରେ ଏହି ନିଲାମି ରହିଥିବା ବେଳେ ଆଗ୍ରହୀ ବିଡରଙ୍କ ପାଇଁ ୧ ଲକ୍ଷ ୫୦ ହଜାର ଡଲାରର ଏଣ୍ଟ୍ରି ଫି ଧାର୍ଯ୍ୟ କରାଯାଇଛି।

Share