ଦୁନିଆରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନୀତି ନିୟମ ରହିଛି। ଯାହାକୁ ଲୋକେ ମାନିବାକୁ ବାଧ୍ୟ ହୋଇଥାନ୍ତି। ଆମ ଦେଶରେ ଏମିତି ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ କିଛି ନିୟମ ମାନିବାକୁ ପଡ଼ିଥାଏ। ଏହି ମନ୍ଦିରକୁ ଆପଣ ଜିନ୍ସ ପ୍ୟାଣ୍ଟ ଏବଂ ଟି-ଶର୍ଟ ପିନ୍ଧି ଯାଇପାରିବେ ନାହିଁ। ଏପରି ମନ୍ଦିର ମଧ୍ୟପ୍ରଦେଶର ରିଓ୍ବାରେ ରହିଛି। ଏହି ମନ୍ଦିରର ନାମ ଦେବତଲାବ। ଶିବରାତ୍ରିରେ ଏହି ମନ୍ଦିରକୁ ଗଲେ ଏଠାରେ ଡ୍ରେସ କୋଡ୍ ଲାଗୁ ହୋଇଥାଏ। ଏଠାକୁ ଆପଣ ଜିନ୍ସ, ଟି-ଶର୍ଟ, କୋଟ୍ କିମ୍ବା ଟ୍ରାଉଜର ପିନ୍ଧି ମନ୍ଦିର ଭିତରକୁ ଯାଇପାରିବେ ନାହିଁ। ଭକ୍ତମାନେ ଜାଗର ଉପଲକ୍ଷେ କେବଳ ଡ୍ରେସ କୋଡ୍ ଧୋତି ପିନ୍ଧି ଭଗବାନ ଭୋଳାନାଥଙ୍କୁ ଦର୍ଶନ କରିପାରିବେ। ବିଧାନସଭା ବାଚସ୍ପତି ଗିରିଶ ଗୌତମ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ପାଳନ କରିବାକୁ ଏସ୍ଡିଓପି ବ୍ୟବସ୍ଥା କରିବା ଉଚିତ୍ ବୋଲି କହିଛନ୍ତି।
ଗୌତମଙ୍କ ଅଧ୍ୟକ୍ଷତାରେ ସମ୍ପ୍ରଦାୟ ଭବନରେ ରିଓ୍ବା ଦେବତଲାବ ମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗୌତମ କହିଛନ୍ତି, ମହାଶିବରାତ୍ରି ପୂର୍ବରୁ ମନ୍ଦିରର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବା ଉଚିତ। ମହାଶିବରାତ୍ରିରେ ହଜାର ହଜାର ଭକ୍ତ ପ୍ରାଚୀନ ମନ୍ଦିର ପରିଦର୍ଶନ କରିଥାନ୍ତି। ତେଣୁ ଗତମ ଶିବରାତ୍ରି ଉପଲକ୍ଷେ ଫୁଲ ଏବଂ ଆକର୍ଷଣୀୟ ଆଲୋକ ସହିତ ଏହାକୁ ସ୍ବତନ୍ତ୍ର ଭାବରେ ସଜାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶିବରାତ୍ରିରେ ପ୍ରବେଶ ପାଇଁ ଡ୍ରେସ କୋଡ୍ ସ୍ଥିର କରାଯାଇଛି। ଏହି ଦିନ ପାରମ୍ପରିକ ପୋଷାକ ପିନ୍ଧିବା ପରେ ହିଁ ମନ୍ଦିରରେ ପ୍ରବେଶ ଅନୁମତି ମିଳିବ। ଗୌତମ ଦେଇଥିବା ଡ୍ରେସ କୋଡ ଅନୁଯାୟୀ, ପୁରୁଷମାନେ ପାରମ୍ପରିକ ପୋଷାକ ଯଥା ପାଇଜାମା-କୁର୍ତ୍ତା ଏବଂ ମହିଳାମାନେ ଶାଢ଼ି ପିନ୍ଧି ମନ୍ଦିରରେ ପ୍ରବେଶ କରିପାରିବେ। ନଚେତ ମନ୍ଦିରରେ ପ୍ରବେଶ ଅନୁମତି ମିଳିବ ନାହିଁ।