Categories: ଫୁରସତ

ଏମିତି ମନ୍ଦିର, ଯାହା ୪୫ ଡିଗ୍ରୀ ଢଳି କି ରହିଛି

ଦୁନିଆରେ ଏମିତି କିଛି ମନ୍ଦିର ରହିଛି, ଯାହା ଚମତ୍କାର ତାଲିକାରେ ଅନ୍ତର୍ଭୂକ୍ତ ନୁହେଁ, ତଥାପି ସେଗୁଡ଼ିକ ଏତେ ଅନନ୍ୟ ଯେ; ଯିଏ ଏହାକୁ ଦେଖେ ଆଶ୍ଚର୍ଯ୍ୟ ହୋଇଯାଏ। ଏମିତି ଏକ ମନ୍ଦିର ରହିଛି ତାଇଓ୍ବାନରେ। ଯାହା ମାଧ୍ୟାକର୍ଷଣ ବିପକ୍ଷରେ ଯାଇ ଭୂମିରେ କେବଳ ଠିଆ ହୋଇଛି। ଯେତେବେଳେ ଆପଣ ଏହି ମନ୍ଦିରକୁ ଦେଖିବେ, ସେତେବେଳେ ଇଟାଲୀର ଲିସା ଟାଓ୍ବାରକୁ ମନେ ପକାଇବେ।

ଏହି ମନ୍ଦିର ତାଇଓ୍ବାନର ଚିଆଇ କାଉଣ୍ଟିରେ ଅବସ୍ଥିତ। ମନ୍ଦିର ଆରମ୍ଭରୁ ବଙ୍କା ନ ଥିଲା। ଏକ ଝଡ଼ ଯୋଗୁ ଏହାର ଆକୃତି ବଦଳିଗଲା। ୨୦୦୯ରେ ତାଇଓ୍ବାନରେ ‘ମୋରାକୋଟ’ ନାମକ ଏକ ବଡ଼ ଝଡ଼ ହୋଇଥିଲା। ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ମଧ୍ୟ ଘଟିଥିଲା। ମାଟି ଧୋଇ ହୋଇଯାଇଥିଲା। ଏହାର ପ୍ରଭାବରେ ଅନେକ କୋଠା ବି ଭୁଶୁଡ଼ି ପଡ଼ିଥିଲା। ଏହି ଘୂର୍ଣ୍ଣିବଳୟ ଏହି ମନ୍ଦିରକୁ କ୍ଷତି ପହଞ୍ଚାଇଥିଲା। ଫଳରେ ଏହା ନିଜ ସ୍ଥାନରୁ ଘୁଞ୍ଚି ଯାଇଥିଲା। ଏଥିରେ କୌଣସି ବିଶେଷ କ୍ଷତି ହୋଇ ନ ଥିଲା, ମାତ୍ର ଏହା ୪୫ ଡିଗ୍ରୀ ଢଳି କି ରହିଥିଲା। ସୋସିଆଲ ମିଡିଆ ଯୋଗୁ ବର୍ତ୍ତମାନ ଏହି ମନ୍ଦିର ଚର୍ଚ୍ଚାକୁ ଆସିଛି।

ମନ୍ଦିରଟି ପ୍ରାୟ ୧୦୦ ମିଟର ତଳକୁ ଖସି ଆସିଛି। ତଥାପି ଏହା ଆଶ୍ଚର୍ଯ୍ୟଜନକ ଭାବେ ଏପର୍ଯ୍ୟନ୍ତ ସୁରକ୍ଷିତ ଅଛି। ତାଇହେ ଜେନ୍‌ସିଂ ପ୍ୟାଲେସକୁ ପରିଦର୍ଶକମାନେ ମଧ୍ୟ ମାଇକେଲ ଜ୍ୟାକସନଙ୍କ ଲିନ୍‌ ଷ୍ଟେପ୍‌ ପଦକ୍ଷେପକୁ ଅନୁକରଣ କରନ୍ତି। ଯେହେତୁ ମନ୍ଦିରଟି ବଙ୍କା, ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ବଙ୍କା ଦିଶନ୍ତି।

Share