ଦିଗପହଣ୍ଡି,୧୧।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ଗ୍ରାମ ଭଞ୍ଜ ସାହିର ଏକ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସନ୍ତୋଷ ଗୌଡ ଏବଂ ତାଙ୍କ ସ୍ତ୍ରୀ ନୟନି ଗୌଡ। ଖବରପାଇ ପାଟପୁର ପୋଲିସ ଶନିବାର ସକାଳେ ଗାଁରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ପଠାଇଥିଲେ।
ସୂଚନାଯୋଗ୍ୟ, କୌଣସି କାରଣରୁ କିଛି ଦିନ ହେଲା ଉଭୟ ସ୍ବାମୀ-ସ୍ତ୍ରୀ ଙ୍କ ମଧ୍ୟରେ ସଦା ସର୍ବଦା ଝଗଡ଼ା ଲାଗି ରହୁଥିଲା। ନିଃସନ୍ତାନ ଥିବା ଦମ୍ପତିି ଶୁକ୍ରବାର ବିଳମ୍ବିତ ରାତିରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ପ୍ରକାରେ ଉଭୟେ ବିଷ ପିଇ ଦେଇଥିଲେ। ସନ୍ତୋଷଙ୍କ ଘରେ ମୃତ୍ୟୁ ଘଟିଥିବା ବେଳେ ନୟନି କଷ୍ଟ ସହିନପାରି ପାଟି କରିବାରୁ ପଡ଼ୋଶୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।