୧ ଲୋକ ସଭା, ୪ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ଏସ୍‌ୟୁସିଆଇ

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ):ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ପାର୍ଟିର କେନ୍ଦ୍ରୀୟ କମିଟି ନିଷ୍ପତ୍ତିକ୍ରମେ ଆସନ୍ତା ନିର୍ବାଚନରେ କଟକ ଲୋକ ସଭା ଆସନରୁ ରାଜକିଶୋର ମଲ୍ଲିକ, କଟକ ସଦର ବିଧାନସଭା ଆସନରୁ ପରମାନନ୍ଦ ସେଠୀ, ଚୌଦ୍ୱାର-କଟକ ଆସନରୁ ଖଗେଶ୍ୱର ସେଠୀ, ବାରବାଟୀ-କଟକ ଆସନରୁ ଅକ୍ଷୟ ରାଉଳ ଓ ବାଙ୍କୀ ନିର୍ବାଚନ ମଣ୍ଡଳୀରୁ ମାଳବିକା ସାମଲ ପ୍ରତିଦ୍ୱନ୍ଦିତା କରିବେ। ଏନେଇ କଟକ ଗାନ୍ଧୀଭବନଠାରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପାର୍ଟିର କଟକ ଜିଲା ସମ୍ପାଦକ ବିଶ୍ୱାବସୁ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସାଧାରଣ ଭଲଭାବରେ ଅବଗତ ଯେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ପାର୍ଟି କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ଦଳଗୁଡିକର ଜନବିରୋଧୀ ନୀତି ଓ ପଦକ୍ଷେପ ବିରୋଧରେ ଲଗାତର ଗଣଆନ୍ଦୋଳନ କରିଆସୁଛି। ଦୁର୍ନୀତି ଅତୀତର ସମସ୍ତ ରେକର୍ଡ ଅତିକ୍ରମ କରିଛି। ରାଜ୍ୟର ସାଧାରଣ ମଣିଷର ସ୍ବାର୍ଥରକ୍ଷାର ଲଢେଇକୁ ଶକ୍ତିଶାଳୀ କରିବା ତଥା ସଂସଦ ଓ ବିଧାନସଭାରେ ସାଧାରଣ ମଣିଷର ସ୍ବରକୁ ପ୍ରତିଧ୍ୱନିତ କରିବା ପାଇଁ ଦଳର ଗଣଆନ୍ଦୋଳନରେ ପରୀକ୍ଷିତ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) କଟକ ଜିଲା କମିଟି ପକ୍ଷରୁ ଜନସାଧାରଙ୍କୁ ନିବେଦନ କରିଛନ୍ତି। ଏହି ସମ୍ମିଳନୀରେ ଲୋକ ସଭା ଓ ବିଧାନସଭାର ପ୍ରାର୍ଥୀଙ୍କ ସମେତ ଜିଲା କମିଟି ସଭ୍ୟ ବସନ୍ତ ନାୟକ, ବବି ବଳବନ୍ତରାୟ, ସିଦ୍ଧାର୍ଥ ରଥ, ଭାଗ୍ୟରବି ଦାସ, ବିନୋଦ ସେଠୀ, ଇଷା ଧର, ତରୁଣସେନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share