ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏସ୍‌ୟୁସିଆଇର ବିକ୍ଷୋଭ

କେନ୍ଦୁଝର,୨୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) କେନ୍ଦୁଝର ଜିଲା ସାଂଗଠନିକ କମିଟି ପକ୍ଷରୁ ବୁଧବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ପୂର୍ବରୁ କେନ୍ଦୁଝର ସହରର କରଞ୍ଜିଆ ବସ୍‌ଷ୍ଟାଣ୍ଡଠାରୁ ଚାଷୀମୂଲିଆ, ମହିଳା ଏକ ଶୋଭାଯାତ୍ରାରେ ଗାନ୍ଧୀଛକ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ସମାବେଶ  ଘନଶ୍ୟାମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ଓଡ଼ିଶା ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ତଥା ଏଆଇକେକେଏମ୍‌ଏସ୍‌ର ରାଜ୍ୟ ସଂପାଦକ କମ୍ରେଡ ରଘୁନାଥ ଦାସ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଛନ୍ତି, କେନ୍ଦ୍ରରେ ପ୍ରତିଷ୍ଠିତ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଓ ରାଜ୍ୟର ବିଜେଡି ସରକାର ଜନସାଧାରଣଙ୍କର ଗୋଟିଏ ହେଲେ ମୌଳିକ ସମସ୍ୟାର ସମାଧାନ କରିବା ତ ଦୂରର କଥା ଅପରନ୍ତୁ ବିଭିନ୍ନ କ୍ଷେତ୍ରରେ ଜନ ବିରୋଧ ଆଇନ ଆଣି ଜନସାଧାରଣଙ୍କୁ ହଇରାଣ ହରକତ କରୁଛନ୍ତି। ବିକ୍ଷୋଭ ସ୍ଥଳରୁ କମ୍ରେଡ ପ୍ରକାଶ ମଲ୍ଲିକଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲାପାଳଙ୍କୁ ସାକ୍ଷାତ କରି ୧୪ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।