ସୁଦାନରେ ଗୃହଯୁଦ୍ଧ ସଙ୍କଟ ଘନେଇଲା: ସେନା-ଆରଏସଏଫ ମୁହାଁମୁହିଁ…

ଖାର୍ତୁମ,୯।୭ : ସୁଦାନରେ ଗୃହଯୁଦ୍ଧ ସଙ୍କଟ ଘନେଇବାରେ ଲାଗିଛି। ସୁଦାନ ସେନା ଏବଂ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ସୁଦାନର ଓମଡୁରମାନ ସହରରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସପ୍ତାହବ୍ୟାପୀ ଲଢ଼େଇ ମଧ୍ୟରେ ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ଆକ୍ରମଣ ବୋଲି ଜଣାପଡିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଏହି ଆକ୍ରମଣ ଶନିବାର ରାଜଧାନୀ ଖାର୍ତୁମ ନିକଟସ୍ଥ ଓମଡୁରମାନର ଏକ ଆବାସିକ ଅଞ୍ଚଳରେ ଘଟିଛି। ଯେଉଁଥିରେ ଅନେକ ଲୋକ ଆହତ ହୋଇଛନ୍ତି। ରାଜଧାନୀ ତଥା ଅନ୍ୟାନ୍ୟ ସହରରେ ସେନା ଏବଂ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ହୋଇଥିବା ଏହି ସଂଘର୍ଷ ମଧ୍ୟରୁ ଏହି ଏୟାର ଷ୍ଟ୍ରାଇକ ଅନ୍ୟତମ। ଗତ ମାସରେ ଖାର୍ତୁମରେ ହୋଇଥିବା ଏୟାର ଷ୍ଟ୍ରାଇରେ ପାଞ୍ଚ ପିଲାଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଓମଡୁରମାନର ଆବାସିକ ଅଞ୍ଚଳ ଉପରେ ସେନା ଆକ୍ରମଣ କରିଥିବା ଆରଏସଏଫ ଅଭିଯୋଗ କରିଛି। ଏହି ଅଞ୍ଚଳରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା। ଏହି ଆକ୍ରମଣରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ଆରଏସଏଫ ଏକ ବିବୃତ୍ତିରେ କହିଛି। ଖବର ଅନୁଯାୟୀ ସେନା ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଣ ସଂଯୋଗ କାଟିବାକୁ ଚେଷ୍ଟା କରିଥିଲା। ସୁଦାନ ସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକକୁ ଆରଏସଏଫ ଦୃଢ଼ ନିନ୍ଦା କରିଛି। ଗୋଷ୍ଠୀ ଏକ ବିବୃତ୍ତିରେ କହିଛି ସୁଦାନ ସଶସ୍ତ୍ର ବାହିନୀ (ଏସଏଏଫ) ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୩୧ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ବହୁ ସାଧାରଣ ନାଗରିକ ଆହତ ହୋଇଛନ୍ତି।

Share