କଟକ ଅଫିସ, ୧୭।୪: ପ୍ରସିଦ୍ଧ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ଚଳିତବର୍ଷ ‘କଳିଙ୍ଗ ରତ୍ନ’ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ୨୩ ତାରିଖରେ କଟକ ସାରଳା ଭବନରେ ସଂସଦର ୪୧ତମ ବାର୍ଷିକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ସାହୁଙ୍କୁ ଏହି ସମ୍ମାନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ସଂସଦର ପ୍ରତିଷ୍ଠାତା ଓ ସଭାପତି ଇଂ. ପ୍ରଭାକର ସ୍ବାଇଁ ଶନିବାର ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି। ସୂଚନାଯୋଗ୍ୟ, ୧୯୩୯ ମାର୍ଚ୍ଚ ୧୧ ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିବା ସାହୁ କାରୁକଳା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଛନ୍ତି।