Categories: ଅପରାଧ

ଘରକୁ ଛୁରି ନେଇ ପଶିଲେ ଯୁବକ, କ୍ୟାମେରାରେ କଏଦ ହେଲା ମହିଳାଙ୍କୁ ବଳାତ୍କାର ଉଦ୍ୟମର ପୂରା ଘଟଣା

ବୋଗଟା,୩ା୭: ଦୁନିଆରେ ମହିଳାମାନେ ଘରେ ବି ସୁରକ୍ଷିତ ନୁହନ୍ତି। ଏମିତି ଏକ ଘଟଣା ଘଟିଛି କଲମ୍ବିଆର ଜଣେ ମହିଳାଙ୍କ କ୍ଷେତ୍ରରେ। ମହିଳା ଜଣକ ଘରେ ଏକୁଟିଆ ଥିବା ବେଳେ ଘର ଭିତରକୁ ଜଣେ ଯୁବକ ହାତରେ ଛୁରି ଧରି ପଶିଥିଲେ। ଆଉ ତା’ ପରେ କ’ଣ ସବୁ କାଣ୍ଡ ଘଟାଇଲେ ଜାଣନ୍ତୁ ଏ ସମ୍ପର୍କରେ…

୨୫ ବର୍ଷୀୟା ସାରା କ୍ୱିଣ୍ଟୋରୋ ଜଣେ ସାଇକୋଲୋଜି ଛାତ୍ରୀ। ସେ ବିବାହ କରିଛନ୍ତି। ବିବାହ ପରେ ପାଠ ବି ପଢୁଛନ୍ତି। ତାଙ୍କର ଏକ ପୁଅ ଅଛି। ଉତ୍ତର କଲମ୍ବିଆର ଅପାର୍ଟେଡୋ ସହରରେ ସାରା ନିଜ ଘରେ ରୁହନ୍ତି। ଏହି ସମୟରେ ସେ ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଦେଖିଲେ ଚକିତ ହେବେ।

ସାରା ସୋସିଆଲ ମିଡିଆରେ ଯେଉଁ ଭିଡିଓ ଶେୟାର କରିଛନ୍ତି, ସେଥିରେ ଜଣେ ଅଜଣା ଯୁବକ ତାଙ୍କ ଘର ଭିତରକୁ ହଠାତ୍‌ ପଶି ଆସି ତାଙ୍କୁ ଛୁରି ଦେଖାଇ ଭୟଭୀତ କରାଇବା ସହ ବଳାତ୍କାର ଉଦ୍ୟମ କରୁଛନ୍ତି। ଏହି ସମସ୍ତ ଘଟଣା ଘରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଛି। ସେ ଏଥିରେ କ୍ୟାପଶନ ଲେଖିଛନ୍ତି, ଯୁବକଜଣକ ତାଙ୍କୁ ବଳାତ୍କାର ଉଦ୍ୟମ କରୁଥିଲେ। ମାତ୍ର ମୁଁ ସାହସର ସହ ତାଙ୍କ ସହ ଲଢ଼ି ନିଜକୁ ରକ୍ଷା କରିପାରିଥିଲି। ସେ ଲେଖିଛନ୍ତି, ମୁଁ ଏହି ଭିଡିଓ ସୋସିଆଲ ମିଡିଆରେ ଛାଡ଼ିବାର ଅର୍ଥ ପୋଲିସ ଏହି ଯୁବକ ଜଣକୁ ଚିହ୍ନଟ କରୁ। ଆଉ ମହିଳାମାନେ ଘରେ ଏକୁଟିଆ ଥିବା ବେଳେ କିପରି ନିଜକୁ ସୁରକ୍ଷିତ ରଖିବେ ସେ ସମ୍ପର୍କରେ ବି କହିଛନ୍ତି।

ସାରାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଏହି ୨୨ ବର୍ଷୀୟ ଯୁବକ ଜଣକ ସ୍ଥାନୀୟ ମାନସିକ ହସ୍ପିଟାଲରେ ନିଜର ଚିକିତ୍ସା କରୁଛନ୍ତି।