ନୂଆଦିଲ୍ଲୀ,୩୦।୧୨:କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ଆତଙ୍କ ସୃଷ୍ଟି କରିଛି। ମୁମ୍ବାଇ ଏବଂ ଦିଲ୍ଲୀରେ କରୋନା ମାମଲା ବିପଜ୍ଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଦୁଇଟି ମେଟ୍ରୋରେ ଗୋଟିଏ ଦିନରେ ମାମଲା ଦ୍ୱିଗୁଣିତ ହୋଇଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ବିସ୍ଫୋରଣ ହୋଇଛି। ଗୋଟିଏ ଦିନରେ ୧୫୧୦ଟି ନୂଆ ମାମଲା ଆସିବା ସହିତ ଲୋକଙ୍କ ତଥା ସରକାରଙ୍କ ଚିନ୍ତା ବଢାଇଛି। ଏଥି ସହିତ ରାଜଧାନୀ ଦିଲ୍ଲୀରେ ମଧ୍ୟ ପରିସ୍ଥିତି ଗୁରୁତର ହୋଇଛି। ଗୋଟିଏ ଦିନରେ ୯୨୩ ଟି ମାମଲା ଆସିବା ସହିତ ତୃତୀୟ ଲହରର ସମ୍ଭାବନା ବଢିଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦିଲ୍ଲୀ, ହରିୟାଣା, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜରାଟ, କର୍ନାଟକ ଏବଂ ଝାଡଖଣ୍ଡ ପ୍ରଭୁତି ରାଜ୍ୟମାନଙ୍କୁ କରୋନା ପରୀକ୍ଷା ବୃଦ୍ଧି ଏବଂ ଡାକ୍ତରଖାନା ସ୍ତରର ପ୍ରସ୍ତୁତିକୁ ଦୃଢ଼ କରିବା, ଟିକାକରଣକୁ ତ୍ୱରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି।