ଅଚାନକ ଅବକାରୀ କାର୍ଯ୍ୟାଳୟରେ ପହଞ୍ଚିଲେ ବିଧାୟିକା ସୋଫିଆ ଫିର୍ଦୋସ: ଫାଇଲ୍‌ ଘାଣ୍ଟିବା ପରେ…

କଟକ,୩।୯(ଶିଳ୍ପା ପ୍ରିୟଦର୍ଶିନୀ): ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ ଅଚାନକ ଅବକାରୀ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ କଟକ ପରିଦର୍ଶନ କରିଛନ୍ତି। ଏହି କାର୍ଯ୍ୟାଳୟକୁ ଭୁବନେଶ୍ବରକୁ ଉଠାଇ ନେବାର ଖବର ପାଇବା ପରେ ବିଧାୟିକା ସେଠାରେ ପହଞ୍ଚିଥିଲେ। କାର୍ଯ୍ୟାଳୟ ବୁଲି ଦେଖିବା ସହିତ କାଗଜପତ୍ର ଗୁଡିକ ତଳେ ପଡିଥିବା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ରାତି ଅଧିଆ ତରବରିଆ ଭାବେ ଫାଇଲଗୁଡିକ ସ୍ଥାନାନ୍ତରିତ କରିବା ଘଟଣା ବିଷୟରେ ବିଧାୟିକା ଅବକାରୀ ଆୟୁକ୍ତଙ୍କ ସହ ଟେଲିଫୋନ ମାଧ୍ୟମରେ ଯୋଗାଯୋଗ କରି ଏଭଳି ଏକ ଖବର ବିଷୟରେ ପଚାରି ବୁଝିବା ସହିତ କଟକକୁ ଶ୍ରୀହୀନ କରିବା ପାଇଁ ଯେଉଁ ଚକ୍ରାନ୍ତ କରାଯାଉଛି ତାହା କେବେ କଟକବାସୀ ଗ୍ରହଣ କରିବେ ନାହିଁ ବୋଲି ବିଧାୟିକା କହିଥିଲେ।
ଏହି କାର୍ଯ୍ୟାଳୟକୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯିବାର କୌଣସି ଯୋଜନା କରାଯାଇ ନାହିଁ ବୋଲି ଆୟୁକ୍ତ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ନଗର କଂଗ୍ରେସ ପୂର୍ବତନ ସଭାପତି ଗିରିବାଳା ବେହେରା, ଶୈଳବାଳା ଜେନା, ବିକି ଚକ୍ରବର୍ତ୍ତୀ, ସନ୍ତୋଷ ପାତ୍ର, ସୁରଜିତ ସାହୁ, ହରେକୃଷ୍ଣ ବେହେରା, ସ୍ମୃତି ରଞ୍ଜନ ରାଉତ, ସେକ ଗୁଲାମଉଦ୍ଦୀନ ଅହମ୍ମଦ, ଦେବେନ୍ଦ୍ର ପ୍ରସାଦ ସେଠୀ, ସୋନୁ ସ୍ବାଇଁ, ପ୍ରମୁଖ ଉପସ୍ଥିତ ଥିଲେ।

 

Share