Categories: ବାଣିଜ୍ୟ

୭୭୫ କୋଟି ସମ୍ପତ୍ତିର ମାଲିକାଣୀ, ବର୍ଷକୁ ରୋଜଗାର ୩୦୦ କୋଟି; ତଥାପି ୨୪ ବର୍ଷ ହେଲାଣି କିଣିନାହାନ୍ତି ଖଣ୍ଡିଏ ଶାଢ଼ୀ!

ନୂଆଦିଲ୍ଲୀ,୧୯।୮: ଇନଫୋସିସ ସହ-ପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣ ମୁର୍ତ୍ତୀଙ୍କ ପତ୍ନୀ ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୁ ସୁଧା ମୁର୍ତ୍ତୀଙ୍କୁ କିଏ ବା ନଜାଣେ। ଆଜି ଅର୍ଥାତ ୧୯ ଅଗଷ୍ଟ ହେଉଛି ତାଙ୍କର ଜନ୍ମଦିନ। ସୁଧା ମୁର୍ତ୍ତୀ ବର୍ତ୍ତମାନ ଇନଫୋସିସ ଫାଉଣ୍ଡେସନର ଚେୟାରମ୍ୟାନ ମଧ୍ୟ ଅଛନ୍ତି। ଲୋକମାନେ ତାଙ୍କୁ ସାମାଜିକ କାର୍ଯ୍ୟକର୍ତ୍ତା, ଶିକ୍ଷକ, ଲେଖକ ଏବଂ ପରୋପକାରୀ ଭାବେ ମଧ୍ୟ ଜାଣନ୍ତି। ସମାଜ ପାଇଁ ସେ କରୁଥିବା କାର୍ଯ୍ୟ ପାଇଁ ୨୦୦୬ରେ ସୁଧାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାଛଡ଼ା ୨୦୨୩ ମସିହାରେ ତାଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଛି। ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ ବହୁତ କିଛି ଜାଣିବା…
ଏକ ମାଧବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସୁଧା। ସର୍ଜନ ଆର୍‌.ଏଚ୍‌ କୁଲକର୍ଣ୍ଣି ଏବଂ ତାଙ୍କ ପତ୍ନୀ ଭିମଲା କୁଲକର୍ଣ୍ଣିଙ୍କ ଝିଅ ସେ। ସେ ଇନଫୋସିସ୍‌ ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କୁ ବିବାହ କରିଛନ୍ତି। ଅକ୍ଷତା ଏବଂ ରୋହନ ତାଙ୍କର ଦୁଇ ସନ୍ତାନ। ଝିଅ ଅକ୍ଷତା ମୁର୍ତ୍ତୀ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ବିବାହ କରିଛନ୍ତି।
ସୁଧା ମୁର୍ତ୍ତୀଙ୍କ ଶିକ୍ଷା ଏବଂ ବୃତ୍ତି:
ସୁଧା ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ବିଟେକ୍‌ ଏବଂ ଏମ୍‌ଟେକ୍‌ କରିଛନ୍ତି। ଏହା ସହିତ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରୁ କମ୍ପ୍ୟୁଟର ସାଇନ୍ସରେ ମଧ୍ୟ ଡିଗ୍ରୀ ହାସଲ କରିଛନ୍ତି। ୧୯୯୬ରେ ସେ ଇନଫୋସିସ ଫାଉଣ୍ଡେସନ ପ୍ରତିଷ୍ଠା କରିଥିଲେ, ଯାହା ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରୁଛି। ସେ ଟାଟା ଇଞ୍ଜିନିୟରିଂ ଏବଂ ଲୋକୋମୋଟିଭ୍‌ କମ୍ପାନୀ (ଟେଲକୋ)ରେ ନିଯୁକ୍ତ ପ୍ରଥମ ମହିଳା ଇଞ୍ଜିନିୟର ଥିଲେ। ସେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି, ଯାହା ବହୁତ ପ୍ରସିଦ୍ଧି ଲାଭ କରିଛି।
ସମ୍ପତ୍ତି କେତେ:
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୁଧାଙ୍କ ସମ୍ପତ୍ତି ମୂଲ୍ୟ ୭୭୫ କୋଟି ଟଙ୍କା, ଯାହା ତାଙ୍କ ପୁସ୍ତକ ଏବଂ କ୍ଷୁଦ୍ରଗଳ୍ପ ତଥା ଇନଫୋସିସ ଫାଉଣ୍ଡେସନ୍‌ର ରୟାଲଟି ସହିତ ଜଡିତ। ଏଥି ସହିତ ତାଙ୍କର ବାର୍ଷିକ ରୋଜଗାର ୩୦୦ କୋଟି ଟଙ୍କା ବୋଲି କୁହାଯାଏ।
ଏତେ ସମ୍ପତ୍ତି ଥିବା ସତ୍ତ୍ୱେ ୨୪ ବର୍ଷ ପାଇଁ ହେଲାଣି କିଣି ନାହାନ୍ତି ଶାଢ଼ୀ:
ଇନଫୋସିସ ଫାଉଣ୍ଡେସନର ଚେୟାରମ୍ୟାନ ସୁଧାଙ୍କ ଶାଢ଼ୀ ନ କିଣିବା ପଛରେ ବଡ଼ କାରଣ ରହିଛି। ୨୪ ବର୍ଷ ପୂର୍ବେ ସେ କାଶୀ ଯିବା ପୂର୍ବରୁ ଶେଷ ଥର ଲାଗି ଶାଢ଼ୀ କିଣିଥିଲେ। ସେ କହିଥିଲେ ଯେ ଯେତେବେଳେ ଜଣେ କାଶୀ ଯାଏ, ନିଜର ସବୁଠୁ ପସନ୍ଦ ଜିନିଷକୁ ତ୍ୟାଗ କରିଥାଏ। ଏଣୁ ସେ ସପିଂ, ବିଶେଷକରି ଶାଢୀ କିଣିବା ବନ୍ଦ କରିଦେଇଛନ୍ତି। ବର୍ତ୍ତମାନ ସେ କେବଳ ଜରୁରୀ ଜିନିଷ କିଣୁଛନ୍ତି। ସର୍ବାଧିକ ବହି କିଣିqବା ସହ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସପିଂ କରନ୍ତି। ତାଙ୍କ ପାଖରେ ୨୦ ହଜାରରୁ ଅଧିକ ପୁସ୍ତକ ଅଛି। ତେବେ ସେ ତାଙ୍କ ଭଉଣୀ, ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ଦ୍ୱାରା ଉପହାରରେ ମିଳିଥିବା ଶାଢୀ ପିନ୍ଧିଥାନ୍ତି ବୋଲି କହିଛନ୍ତି।
Share