Categories: ଜାତୀୟ

ପାଠ୍ୟପୁସ୍ତକ ପ୍ରସ୍ତୁତି କମିଟିରେ ସୁଧା ମୂର୍ତ୍ତି, ଶଙ୍କର ମହାଦେବନ

ନୂଆଦିଲ୍ଲୀ,୧୩।୮(ପି.ଟି.):  ନୂଆ ପାଠ୍ୟକ୍ରମ ଅନୁଯାୟୀ ସଂଶୋଧିତ ପାଠ୍ୟପୁସ୍ତକ ପ୍ରସ୍ତୁତି ଲାଗି ଏନ୍‌ସିଇଆର୍‌ଟି ଏକ ନୂଆ କମିଟି ଗଠନ କରିଛି। ସେଥିରେ ଇନ୍‌ଫୋସିସ୍‌ ଫାଉଣ୍ଡେଶନ୍‌ର ଅଧ୍ୟକ୍ଷ ସୁଧା ମୂର୍ତ୍ତି, ସଙ୍ଗୀତ ବିଶାରଦ ଶଙ୍କର ମହାଦେବନ, ଅର୍ଥନୀତିଜ୍ଞ ସଞ୍ଜୀବ ସାନ୍ୟାଲଙ୍କ ସମେତ ୧୯ ସଦସ୍ୟ ରହିଛନ୍ତି। ଜାତୀୟ ଶିକ୍ଷାନୁଷ୍ଠାନ ଯୋଜନା ଓ ପ୍ରଶାସନ (ଏନ୍‌ଆଇଇପିଏ)ର ଚାନ୍‌ସେଲର ଏମ୍‌.ସି. ପନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ୧୯ ସଦସ୍ୟ ବିଶିଷ୍ଟ ନ୍ୟାଶନାଲ ସିଲାବସ୍‌ ଆଣ୍ଡ ଟିଚିଂ ଲର୍ନିଂ ମ୍ୟାଟେରିଆଲ୍‌ କମିଟି ତୃତୀୟରୁ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟପୁସ୍ତକ ବିକଶିତ କରିବ। ଏହା ବ୍ୟତୀତ ଅନ୍ୟାନ୍ୟ ପାଠ୍ୟୋପକରଣ ମଧ୍ୟ ଉକ୍ତ କମିଟି ପ୍ରସ୍ତୁତ କରିବ। ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନ୍‌ସିଇଆର୍‌ଟି) ଉକ୍ତ ପୁସ୍ତକଗୁଡ଼ିକ ପ୍ରକାଶ କରି ବ୍ୟବହାର କରିବ। ପ୍ରତି ଶିକ୍ଷଣ ଅଞ୍ଚଳ ପାଇଁ ଶିକ୍ଷଣ ସହାୟକ ସାମଗ୍ରୀ ପ୍ରସ୍ତୁତିରେ ଏନ୍‌ଏସ୍‌ଟିସିକୁ କରିକୁଲାର ଏରିଆ ଗ୍ରୁପ୍‌ (ସିଏଜି)ଗୁଡ଼ିକ ସହାୟତା କରିବେ। ସେମାନେ ଏଥିପାଇଁ ଉପଯୁକ୍ତ ବିଶେଷଜ୍ଞଙ୍କୁ ସାମିଲ କରିବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Share