ମାଓବାଦୀ ଦମନ କରିବେ ଆତ୍ମସମର୍ପିତ ସୁଧୀର

ଫୁଲବାଣୀ ଅଫିସ, ୨୪ା୨: ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ଦୁର୍ଦ୍ଦାନ୍ତ ମାଓବାଦୀ ଧନଞ୍ଜୟ ଗୋପେ ଓରଫ ସୁଧୀର ଆଣ୍ଟି ନକ୍ସଲ ପିପୁଲ ପିସ୍‌ ଫୋର୍ସ (ଏଏନ୍‌ପିପିଏଫ)ରେ ଯୋଗ ଦେଇଛନ୍ତି। ସେ ଏଥର ମାଓବାଦୀଙ୍କ ଦମନରେ ସାମିଲ ହେବେ। ବିଶେଷ କରି ପିପୁଲ୍ସ ଲିବେରେଶନ ଗେରିଲା ଆର୍ମି (ପିଏଲ୍‌ଜିଏ) ବିରୋଧରେ ନିଜ କାର୍ଯ୍ୟ ଜାରି ରଖିବେ। ସେହିପରି ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ଉପରେ ମଧ୍ୟ ଜୋର ଦେବେ ବୋଲି ଏଏନ୍‌ପିପିଏଫ୍‌ର ରାଜ୍ୟ ପ୍ରତିଷ୍ଠାତା ଭାରତ ଭୂଷଣ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି।

ସେ ଆହୁରି କହିଛନ୍ତି, ମାଓବାଦୀଙ୍କ ବର୍ତ୍ତମାନ ସ୍ଥିତି ଏବଂ ସେମାନଙ୍କ ଲଢ଼େଇ କୌଶଳକୁ ନଜର କରି ଏଏନ୍‌ପିପିଏଫ ରାଜ୍ୟ ନେତୃତ୍ୱରେ ବହୁତ ପରିବର୍ତ୍ତନ କରିଛି। ଏବେ ଏହାର ଦାୟିତ୍ୱ ଆତ୍ମସମର୍ପିତ ମାଓବାଦୀ ସୁଧୀରଙ୍କୁ ଦିଆଯାଇଛି। ସେ ମାଓବାଦୀଙ୍କ ଗତିବିଧି ଏବଂ ସେମାନଙ୍କ ବିଭିନ୍ନ କାର୍ଯ୍ୟଶୈଳୀ ବିରୋଧରେ ଯୋଜନା କରି କାମ କରିବେ। ଆତ୍ମ ସମର୍ପଣ ପରେ ସୁଧୀର ଦୀର୍ଘଦିନ ଧରି ଏଏନ୍‌ପିପିଏଫ ସମ୍ପର୍କରେ ଥିଲେ। ତାଙ୍କ ଆଗ୍ରହ, ନେତୃତ୍ୱକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ସୁଧୀର ଦୀର୍ଘ ଦିନ ଧରି ଆନ୍ଧ୍ର ଡିଭିଜିନାଲ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାମରେ ବିଭିନ୍ନ ରାଜ୍ୟରେ ୨୭ରୁ ଊର୍ଦ୍ଧ୍ୱ ମାମଲା ରହିଥିଲା। ସୁଧୀରଙ୍କୁ ଧରାଇଲେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା। ତେବେ ସେ ୨ବର୍ଷ ତଳେ କୋରାପୁଟ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସରକାରଙ୍କ ପକ୍ଷରୁ ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା।

Share